
ଭୁବନେଶ୍ୱର: ଭୁବନେଶ୍ୱର- କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍ ବାବୁଲି ଚରଣ ପଢ଼ିଆରୀଙ୍କ ଆୟ ବହିର୍ଭୁତ ସଂପତ୍ତି ଭିଜିଲାନ୍ସ ବିଭାଗ କୁ ଚକିତ କରିଛି । ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଜିଆରଏସ୍ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ କଟକରେ ଗୋଟିଏ ପ୍ଲଟ ଠାବ ହୋଇଛି। ଶ୍ରୀ ପଢ଼ିଆରୀଙ୍କ ନନ୍ଦନକାନନ ନିକଟ ରଘୁନାଥପୁରରେ ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୧ କୋଟି ୨୪ ଲକ୍ଷ ଟଙ୍କା ହେବ।
ସୂଚନାଯୋଗ୍ୟ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଆଜି ସକାଳ ଠାରୁ ଜିଆରଏସ୍ ବାବୁଲି ପଢ଼ିଆରୀଙ୍କ ଠିକଣାରେ ଚଢ଼ଉ ଆରମ୍ଭ କରିଥିଲେ। ଏହି ଚଢ଼ଉ ୬ଟି ସ୍ଥାନରେ ହୋଇଛି। ଏଥିରେ ଭୁବନେଶ୍ୱରର ରଘୁନାଥପୁରରେ ଥିବା ଏକ ତିନି ମହଲା କୋଠା, ଏକ ଦୁଇ ମହଲା କୋଠା, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୨, ବାବୁଲି ଚରଣ ପଢ଼ିଆରୀଙ୍କ ରଘୁନାଥପୁରସ୍ଥିତ ପୈତୃକ ବାସଭବନ, କଳାରାହାଙ୍ଗ ଗ୍ରାମପଞ୍ଚାୟତ ଅଫିସ ଆଦି ସାମିଲ ରହିଛି।