
ପୁରୀ ୨୭।୦୪ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାରିଘଣ୍ଟା ବନ୍ଦ ।ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥାଏ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଶ୍ରଧାଳୁଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।