ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି ।
ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ସେହିଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣର ଶୁଭାରମ୍ଭ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ସହଜ ହୋଇଛି ଦର୍ଶନ ବ୍ୟବସ୍ଥା।
ଆଜିଠୁ ମାଟ୍ରିକ ପରୀକ୍ଷା । ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।ପ୍ରଥମ ସିଟିଂପରୀକ୍ଷା ସକାଳ ୮ଟାରୁ ୧୦ଟା ମଧ୍ୟରେ ହେବ। ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିବ ଓ ଦ୍ବିତୀୟ ଦିନଠୁ ସକାଳ ୭ଟା ୧୫ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୭ଟା ୪୫ମିନିଟ୍ ରେ ପ୍ରଶ୍ନପତ୍ର ଦିଆଯିବ।
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୭୦ ବର୍ଷ ବୟସରେ ଦେଉଛନ୍ତି ମାଟ୍ରିକ ବୋର୍ଡ଼ ପରୀକ୍ଷା । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ବିଧାୟକ ପରୀକ୍ଷା ଦେଉଛନ୍ତି। ତାଙ୍କ ସହିତ ତାଙ୍କର ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସୁଦର୍ଶନ କହଁର ମଧ୍ୟ ଏହି ବୋର୍ଡ଼ ପରୀକ୍ଷା ଦେଉଛନ୍ତି । ବିଧାୟକ କହିଛନ୍ତି, ” ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇପାରିନଥିଲି ତେଣୁ ବର୍ତ୍ତମାନ ଏହି ପରୀକ୍ଷା ଦେଉଛି ।”
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର। ଗତକାଲି ୪୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ମେ’ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଖସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୮୦୧ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୩୭୫୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଦେଶରେ ଉତ୍କଟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରେ କୋଇଲାର ଚାହିଦା ବୃଦ୍ଧି ପାଉଛି। କୋଇଲା ସଙ୍କଟ ଯୋଗୁଁ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଆବଶ୍ୟକ ପରିମାଣର ବିଜୁଳି ଉତ୍ପାଦନ ହୋଇ ପାରୁ ନ ଥିବାରୁ ଦେଶର ଅନେକ ଭାଗରେ ଦୀର୍ଘ ସମୟ ବିଜୁଳି କାଟ ହେବା ସହ କଳକାରଖାନାରେ ଉତ୍ପାଦନ ହ୍ରାସ ପାଉଛି । ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ତାପଜ ବିଜୁଳି ଶକ୍ତି କେନ୍ଦ୍ରଗୁଡ଼ିକୁ ତୁରନ୍ତ କୋଇଲା ପଠାଇବା ଲାଗି ମାଲ୍ବାହୀ ଟ୍ରେନ୍ଗୁଡ଼ିକର ଅବାଧ ଚଳାଚଳ ପାଇଁ ଭାରତୀୟ ରେଳବାଇ କେତେକ ଯାତ୍ରୀବାହୀ ଟ୍ରେନ୍ ବାତିଲ କରିଛି।
ଆଜି ଆଇପିଏଲ୍ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷେ୍ନୌ ସୁପରଜାଏଣ୍ଟ୍ସ । ଲକ୍ଷେ୍ନୌ ସୁପରଜାଏଣ୍ଟ୍ସ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ୮ଟି ମ୍ୟାଚ୍ରୁ ୫ ବିଜୟ ସହ ସୁପରଜାଏଣ୍ଟ୍ସ ମୋଟ୍ ୧୦ ପଏଣ୍ଟ ହାସଲ କରିଛି । ୮ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ପଞ୍ଚମକୁ ଉଠିବାର ସୁଯୋଗ ରହିଛି ।