
ତ୍ରିନାଥ ବାରିକ(ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେଲା । ପରମ୍ପରା ଅନୁଯାୟୀ ମହାପ୍ରଭୁ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି।
ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିଛନ୍ତି। ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି ମହାପ୍ରଭୁ।ପ୍ରଭୁଙ୍କର ଏହି ଅପୂର୍ବ ଲୀଳା ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ଭକ୍ତଙ୍କ ମନମୋହିବେ ।

ଆଜି ଅପରାହ୍ନ ୩ଟା ୩୫ରେ ରଥ ଆଜ୍ଞାମାଳ ବିଜେ ହୋଇଥିଲା। ଆଜ୍ଞାମାଳ ପାଇ ରାମକୃଷ୍ଣ ପାଲିଙ୍କିକୁ ବିଜେ କାର୍ଯ୍ୟକ୍ରମ ୩ଟା ୪୦ରେ ଅନୁଷ୍ଠିତ ହୋଇଥିଲା। ସେହିପରି ମହାପ୍ରଭୁ ୩ଟା ୪୦ରେ ମଦନମୋହନ ଜୟବିଜୟ ଦ୍ଵାରକୁ ବିଜେ ହୋଇଥିଲେ। ମହାପ୍ରଭୁ ୩ଟା ୪୫ରେ ଜୟବିଜୟ ଦ୍ଵାରରେ ଭୋଗ ବନ୍ଦାପନା ସରି ବିମାନକୁ ବିଜେ କରିଥିଲେ। ଅପରାହ୍ନ ୪ଟାରେ ବିମାନ ଉଠିଥିଲା।

ବିଗତ ୨ ବର୍ଷରେ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ସାମିଲ ହୋଇପାରି ନଥିଲେ। ୨୦୨୦ ଓ ୨୦୨୧ ମସିହାରେ ଚନ୍ଦନଯାତ୍ରାରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା। କୋଭିଡ-୧୯ କଟକଣାରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥର କରୋନା କଟକଣା ନଥିବାରୁ ଶ୍ରଦ୍ଧାଳୁମାନେ ଚନ୍ଦନଯାତ୍ରା ସାମିଲହୋଇ ଧନ୍ୟ ମଣୁଛନ୍ତି ।