
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଲା । ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି।ବର୍ତ୍ତମାନ ଏହା ପୁରୀ ଠାରୁ ୧୩ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ,ବିଶାଖାପାଟଣା ଠାରୁ ୧୨୭୦ କିମି ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା ୧୦ ତାରିଖରୁ ଏହାର ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ରହିଛି।
ଆସନ୍ତା କାଲି (୮ ତାରିଖ) ସଂଧ୍ୟା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଂଚିବା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରାଯାଇନାହିଁ ।
ବାତ୍ୟାର ପ୍ରଭାବରେ ଆସନ୍ତା ୧୦ ତାରିଖ ଏବଂ ୧୧ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତିରେ ହାଲୁକାରୁରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ।
ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ । ୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ ଏପରିକି ବେଳେବେଳେ ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି ।ସେହିପରି ୧୧ ତାରିଖରେ ୭୦ ରୁ ୮୦କିମି ଏବଂ ମଝିରେ ମଝିରେ ପବନର ବେଗ ୯୦ କିମି ହୋଇପାରେ ।
୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳକୁ ମତ୍ସ୍ୟଜୀବୀମାନଙ୍କୁ ପ୍ରବେଶ ନେଇ ବାରଣ କରାଯାଇଛି ।