
ଭୁବନେଶ୍ୱର: ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ବାର୍ଷିକ ସଂଗୀତ ଓ ନୃତ୍ୟ ସମାରୋହ ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛିl ଓଡିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଡ଼ ସଂଗୀତା ଗୋସାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାରମ୍ପରିକ ନୃତ୍ୟ ଓ ସଂଗୀତ ସମାରୋହରେ ମାନ୍ୟବର ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ରାଜସ୍ଥାନ ଭାରତୀୟ ପ୍ରଶାସନିକ ଅଧିକାରୀ ଜଗଦୀଶ ଚନ୍ଦ୍ର ମହାନ୍ତି, ପ୍ରଶାସକ ଭବାନୀ ଚନ୍ଦ୍ର ପଟ୍ଟନାୟକ ଓ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠାତା କ୍ଷଣପ୍ରଭା ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l
ଅତିଥିମାନେ ତାଙ୍କ ଏହି ଅବସରରେ ଓଡିଶାର ପ୍ରତିଷ୍ଠିତ ବିଶିଷ୍ଟ ଲଘୁ କଣ୍ଠ ଶିଳ୍ପୀ ବିଭୁ କିଶୋରଙ୍କୁ ଲକ୍ଷ୍ୟ ସଂଗୀତ ସମ୍ମାନ , ଓଡିଶୀ ନୃତ୍ୟଙ୍ଗନା ପୂର୍ଣ୍ଣଶ୍ରୀ ରାଉତଙ୍କୁ ଲକ୍ଷ୍ୟ ନୃତ୍ୟ ସମ୍ମାନ, ବିଶିଷ୍ଟ ସୀତାର ବାଦକ ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀଙ୍କୁ ଓଡିଶୀ ବାଦ୍ୟ ସମ୍ମାନ ଓ ଓଡିଶୀ ନୃତ୍ୟଙ୍ଗନା ସ୍ୱାଧୀନା ଦାସଙ୍କୁ ଲକ୍ଷ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଅତିଥିମାନେ ଓଡିଶୀ ବାଦ୍ୟ ଓ ନୃତ୍ୟକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ l
ଶେଷରେ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ, ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଗୁରୁ ଶ୍ରୀ କ୍ଷଣପ୍ରଭା ପରିଡା ଓ ଗୌରୀ ଶଙ୍କର ମହାପାତ୍ର ସଂଯୋଜନା କରିଥିଲେ ଏବଂ ସରୋଜ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l



