
ଝାରସୁଗୁଡ଼ା ୧୫।୦୫: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦମ୍ଭୋକ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ରେ ଜିତିବେ ବିଜେଡି ପ୍ରାର୍ଥୀ। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ବିଜେଡି ପକ୍ଷରୁ ଅନୁଷ୍ଠାନିକ ଭାବରେ ପ୍ରଚାର ପ୍ରସାର ଆରମ୍ଭ ହୋଇନଥିଲେ ହେଁ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି l ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏଥିରେ କଟକ ମେୟର ସୁବାସ ସିଂ, ଝାରସୁଗୁଡା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖଙ୍କ ସହ ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।