
ପ୍ରମୋଦ ନାଏକ(ଭୁବନେଶ୍ୱର) : ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରଦୀପ କୁମାର ଦାସ , ପାହାଳ ର ବିଶ୍ୱନାଥ ଦାସ ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ ।
ସେମାନଙ୍କ ଠାରୁ ପୁଲିସ୍ ଗୋଟିଏ ଟ୍ରାଭେରା କାର, ଗୋଟିଏ ବନ୍ଧୁକ, ୧୦ଟି ଗୁଳି, ବନ୍ଧୁକ ଲାଇସେନ୍ସ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି।ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଶ୍ରୀନାୟକ ଙ୍କୁ ଏହି ତିନି ଅଭିଯୁକ୍ତ ଅପହରଣ କରି ନେଇଥିଲେ। ଅପହରଣ ପାଇଁ ସେମାନେ ଟ୍ରାଭେରା କାର୍କୁ ବ୍ୟବହାର କରିଥିଲେ।ସେମାନେ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ଏକ ଆଜବେଷ୍ଟସ ଘରେ ରଖି ଥିଲେ ଏବଂ ଲୁହା ରଡ୍, ବେଲ୍ଟ ଆଦିରେ ପିଟି ଥିଲେ।
ଜଗବନ୍ଧୁଙ୍କ ମା’ଙ୍କୁ ଫୋନ୍ କରି ୧ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ କହିଥିଲେ।ଜଗବନ୍ଧୁଙ୍କ ପରିବାର ଲୋକେ ଏ ସଂପର୍କରେ ବଡ଼ଗଡ଼ ଥାନା ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ତଦନ୍ତ କରି ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଅଞ୍ଚଳରେ ରଖାଯାଇଥିବା ଜାଣିବାକୁ ପାଇଥିଲା। ତାପରେ ପୁଲିସ୍ ଜଗବନ୍ଧୁଙ୍କୁ ଉଦ୍ଧାର କରିବା ସହିତ ୩ ଅଭିଯୁକ୍ତଙ୍କୁ ଧରିଥିଲା।