
ଜଗତସିଂହପୁର : ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦ୍ୱାରା ଗରିବଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ସରକାର ଡିଣ୍ଡିମ ପିଟୁଥିବା ବେଳେ, କାର୍ଡଧରି ହସ୍ପିଟାଲରୁ ହସ୍ପିଟାଲ ଦୌଡ଼ିବା ପରେ ବି ଫଳ ଶୁଉନୁ । ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଉଛି ଅନେକଙ୍କ ପ୍ରାଣ । ଏମିତି ଚିକିତ୍ସା ଅଭାବରୁ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗାଁର ଜଣେ କର୍କଟ ରୋଗୀ ଶତ୍ରୁଘ୍ନ ଓଝା ପ୍ରାଣ ହରାଇଛନ୍ତି।
ଖବର ଅନୁଯାଇ, ଶତ୍ରୁଘ୍ନ କର୍କଟରେ ପୀଡ଼ିତ ଥିବାବେଳେ ତାଙ୍କ ପତ୍ନୀ ତୃପ୍ତିମୟୀ ମଧ୍ୟ ସ୍ତନ କର୍କଟ ରୋଗରେ ପୀଡ଼ିତ। । ରୋଜଗାର ନ ଥିବାରୁ ଦୁଇ ଜଣଙ୍କ ଚିକିତ୍ସା ପାଇଁ ଗତ ୩ ବର୍ଷ ଭିତରେ ଘରର ଆସବାବପତ୍ର ଓ ଜମି ବାଡ଼ି ବିକ୍ରି କରି ଜୀବନ ବଂଚାଇବା ପାଇଁ ମେଡିକାଲ୍ରୁ ମେଡିକାଲ ଘୁରି ବୁଲୁଥିଲେ । ପ୍ରତି ସପ୍ତାହରେ ଥରେ କି ଦୁଇଥର ସେମାନଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସିବାକୁ ପଡୁଥିଲା।
ପ୍ରଥମେ ତୃପ୍ତିମୟୀ ସ୍ତନ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିବା ପରେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଶତ୍ରୁଘ୍ନ ଘରକୁ ଚାଲି ଆସିଥିଲେ। ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଧରି ପତ୍ନୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ। କୌଣସି ସ୍ଥାନରେ ତାଙ୍କୁ ସୁବିଧା ନମିଳିବାରୁ ବାଧ୍ୟହୋଇ ସେ ଘରର ସରଞ୍ଜାମ ବିକ୍ରି କରିଥିଲେ। ମାତ୍ର, ଏହାର କିଛିଦିନ ପରେ ସେ ମୁଖ ଗହ୍ବର କର୍କଟ ରୋଗରେ ପୀଡ଼ିତ ବୋଲି ଜଣା ପଡିଲା ।
ନିଜ ପାଇଁ ବି ଏହି କାର୍ଡ ବ୍ୟବହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।ଭୋଟ ବେଳେ ଦେଖା ଦେଉଥିବା ନେତା ମାନଙ୍କ ଦୁଆରୁ ଦୁଆର ଟିକିଏ ସଯ ପାଇଁ ବୁଲିବୁଲି ଥକି ପଡିଲେ ଶତ୍ରୁଘ୍ନଙ୍କ ପରିବାର, ହେଲେ ଖାଲି ଶୁଖିଲା ଆଶ୍ଵାସନ । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଦେଖି ,ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣିରେ ପହଞ୍ଚି ସହାୟତା ପାଇଁ ନିବେଦନ କରିଥିଲେ। ଶେଷରେ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ଯିବାପାଇଁ ସ୍ଥିର କରାଯାଇଥିଲା। ମାତ୍ର ଚିକିତ୍ସା ପାଇଁ କଟକ ଆସିବାକୁ ପ୍ରସ୍ତୁତହୋଇ ରେଳଷ୍ଟେସନ ଆସୁଥିବା ବେଳେ ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
ଶତ୍ରୁଘ୍ନଙ୍କ ମୃତ୍ୟୁପରେ ତାଙ୍କର ରୋଗାକ୍ରାନ୍ତ ପତ୍ନୀ ଓ ଦୁଇ ପିଲା କେମିତି ଚଳିବେ, ତାହା ଚିନ୍ତାର ବିଷୟ ପାଲଟିଛି। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବା ବେଳେ କେବଳ ଟଙ୍କିକିଆ ଚାଉଳକୁ ସେମାନେ ଭରସା କରି ଚଳୁଛନ୍ତି। ଶତ୍ରୁଘ୍ନଙ୍କ ମୃତ୍ୟୁ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଏବେ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡର ଉପଯୋଗିତାକୁ ନେଇ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ,ଯେଉଁଠି ଜଣ ପ୍ରତିନିଧି ମୁକ, ମନ୍ତ୍ରୀମାନେ ରବର ଷ୍ଟାମ୍ପ, ସେଠି ଗୁହାରି କରିବ କାହାକୁ ଶୁଣିବ ବା କିଏ ?