
ଦୀପକ ବେଉରା(କଟକ) : ଗୋବରୀ ନଦୀରେ କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି)ରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଏଥି ପାଇଁ ଏନ୍ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩କୁ ଧାର୍ଯ୍ୟ କରାଯାଇଛି। ଏନ୍ଜିଟି ପୂର୍ବାଞ୍ଚଳ ଜୋନ୍ ଖଣ୍ଡପୀଠ ରାବେୟା ତବସୁମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨, ମାର୍ଚ୍ଚ ୧୬ରେ ଏନ୍ଜିଟି ଏ ସଂପର୍କିତ ମାମଲାର ଶୁଣାଣି କରି ଗୋବରୀର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନକୁ ଏନ୍ଜିଟି ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏପ୍ରିଲ ୨୨ରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ କେନ୍ଦ୍ରାପଡ଼ା ପୌରପାଳିକା ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ଏନ୍ଜିଟି ଦୁଇ ସପ୍ତାହ ମହଲତ ପ୍ରଦାନ କରିଥିଲେ। କିନ୍ତୁ ଜବାବ ରଖିବାକୁ ପୁଣି ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକ ସମୟ ଲୋଡିଛନ୍ତି।
ଆବେଦନକାରୀଙ୍କ ଅଭିଯୋଗ ଯେ, ଗୋବରୀକୁ ଡମ୍ପିଂୟାର୍ଡରେ ପରିଣତ କରାଯାଇଛି । ହଜାରିବଗିଚା, ଖଡିଅଙ୍ଗା, ଜୟପୁରା, ସୁନାଇଲୋ, ଏକରାଖଣ୍ଡି, ନୟା ଇଦଗା ଭଳି ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ଗୋବରୀରେ ପକାଯାଉଛି। ଇଦଗାଠାରେ ବିଶୋଧନ ନ କରି ସିଧାସଳଖ ଡ୍ରେନ୍ ପାଣି ଗୋବରୀକୁ ଛଡାଯାଉଛି ।