ଅତାବିରା ବସ୍ ଷ୍ଟାଣ୍ଡ ଛକରେ ପାଣି ଟୋପେ ପାଇଁ ଲୋକେ ଆଉଟୁ ପାଉଟୁ…..


ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡେ।

ପ୍ରଚଣ୍ଡ ଖରା ତାତି ସାଙ୍ଗକୁ ଗରମ ପବନ ରେ ଲୋକେ ବସ୍ ଷ୍ଟାଣ୍ଡ ଛକରେ ସିଝି ଯାଉଥିବା ବେଳେ ବସ୍ ଷ୍ଟାଣ୍ଡ ଛକରେ ନାଁ ଅଛି ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳୀ ନାଁ ଅଛି ଶୌଚାଳୟ।ଅତାବିରା ଏନ୍ ଏସି ଗଠନ କୁ ପାଖାପାଖି ଦୀର୍ଘ ୯ବର୍ଷ ପୁରୀ ଯାଇଥିଲେ ହେଁ ଏବେ ବି ଲୋକେ ଆଶ୍ରୟ ସ୍ଥଳୀ,ଶୌଚାଳୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ।ଶୌଚାଳୟ ଅଛି ହେଲେ ତାଳା ଝୁଲୁଛି।ଲୋକେ କାନ୍ଥ ବାଡ଼ରେ ପରିସ୍ରା କରି କାମ ଚଳାଉ ଛନ୍ତି।ମହିଳା ମାନଙ୍କୁ ହିନସ୍ତା ହେବାକୁ ପଡୁଛି।ଏବେ ପୁଣି ପାନୀୟ ଜଳ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି।

ବରଗଡ଼ – ସମ୍ବଲପୁର ୱେ ଛକରେ ଏକମାତ୍ର ବହୁ ପୁରୁଣା ନଳକୂପ ଯାହା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ।ସେହିପରି ଏନ୍ ଏସି ପକ୍ଷରୁ ଛକ ସ୍ଥିତ ଔଷଧ ଦୋକାନ ସମ୍ମୁଖରେ ଏକ ପାନୀୟ ଜଳ ପ୍ରକଳ୍ପ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଅଞ୍ଚଳ ପାଇଁ ଲୋକାର୍ପିତ ହୋଇଥିଲା।ହେଲେ କିଛି ଦିନ ପରେ ତାହା ମାସ ମାସ ଧରି ଅଚଳାବସ୍ଥା ରେ ପଡ଼ି ରହି ପାଣି ଟୋପେ ପାଇଁ ଲୋକେ ଆଉଟୁ ପାଉଟୁ ହେବାକୁ ପଡୁଛି।

ଏନ୍ ଏସି ପ୍ରଶାସନ ର ଅବହେଳା ତଥା ସ୍ନେହମୟୀ ସ୍ନେହାଙ୍ଗିନୀ ଙ୍କ ଅତାବିରା ପ୍ରତି ସ୍ନେହର ଅଭାବ ଯୋଗୁଁ ବୋଧେ ମାସ ମାସ ଧରି ଲୋକେ ପାଣି ଟୋପେ ପାଇଁ ଛଟପଟ ହେବାକୁ ପଡୁଛି।ସେହିପରି ଏହି ବ୍ୟସ୍ତ ବହୁଳ ବସ୍ ଷ୍ଟାଣ୍ଡ ଛକରେ ଲୋକଙ୍କ ପାଇଁ ପିଏଚ ଡି ପକ୍ଷରୁ ବରଗଡ଼ – ସମ୍ବଲପୁର ୱେ ଓ ସମ୍ବଲପୁର – ବରଗଡ଼ ୱେ ଜାତୀୟ ରାଜପଥ କଡ ରେ ଦୁଇଟି ୧୦୦୦ ଲିଟର ସିନଟେସ୍କ ଟାଙ୍କି ବସାଯାଇଛି ହେଲେ ସେଥିରେ ନିୟମିତ ପାଣି ଭର୍ତ୍ତି କରାଯାଉ ନାହିଁ।କାମ ଚଲା ଭାବେ ଦୁଇ ଦିନ ତିନି ଦିନରେ ଥରେ ଲେଖାଏଁ ପାଣି ଦିଆଯାଉଥିବା ଲୋକେ କହି ଆସୁଥିବା ବେଳେ କେତେବେଳେ ଫୁଟା ପାଣି ତ ଆଉ କେତେବେଳେ କୁଟା କାଟି ପଡ଼ିଥିବା ବାସୀ ପାଣି ପିଇ ଲୋକେ ଶୋଷ ମେଣ୍ଟାଊଛନ୍ତି ।

ଆଜି ସମ୍ବଳପୁର – ବରଗଡ଼ ୱେ ରାଜରାସ୍ତା କଡରେ ଥିବା ସିନଟେସ୍କ ଟାଙ୍କିରେ ଆଦୌ ପାଣି ଭର୍ତ୍ତି କରାଯାଇ ନାହିଁ ବୋଲି ଲୋକେ କହିବା ସହ ମେଡିକାଲ ଦୋକାନ ସାମ୍ନାରେ ବିଧାୟିକା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ମଧ୍ୟ ମାସ ମାସ ଧରି ବନ୍ଦ ରହିଛି।ତେଣୁ ପାଣି ଟୋପେ ପାଇଁ ଲୋକଙ୍କୁ ଛଟପଟ ହେବାକୁ ପଡୁଛି।ଅଞ୍ଚଳଟି ଏନ୍ ଏସି ଅଞ୍ଚଳ ହୋଇଥିବା ବେଳେ ପାନୀୟ ଜଳ ଦାୟିତ୍ବରେ ପିଏଚ୍ ଡି ବିଭାଗ କାର୍ଯ୍ୟ ତୁଲାଇ ଆସୁଛି ସତ,ହେଲେ ପିଏଚ ଡି ବିଭାଗ ର ବେନିୟମ ଜଳ ଯୋଗାଣ କାର୍ଯ୍ୟ ଓ ଏନ୍ ଏସି ପ୍ରଶାସନ ର କାଦୁଅ ଫିଙ୍ଗା ରେ ଲୋକେ ପାଣି ନପାଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ଏହି ପାନୀୟ ଜଳ ସମସ୍ୟା କୁ ନେଇ ପିଏଚଡି ବିଭାଗ କୁ ଫୋନ୍ ମାଧ୍ୟମରେ ଏସଡିଓ ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ହୋଇ ପାରିନଥିଲା।ପିଏଚଡ଼ି ଅଧୀନରେ କାର୍ଯ୍ୟରତ ଥିବା କର୍ମଚାରୀ ଶିବ ଙ୍କୁ ଔଷଧ ଦୋକାନ ସମ୍ମୁଖରେ ଥିବା ପାନୀୟ ଜଳ ପ୍ରକଳ୍ପ କଥା ପଚାରିଲେ କହନ୍ତି ଆମର ନୁହଁ ଏନଏସି ର ଓ ଏନଏସି ଅଧିକାରୀ ଙ୍କ ତ ପୁରୁଣା ରୋଗ “ଆଇ ଉଇଲ କଲ ୟୁ ଲେଟର”।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ପାନୀୟ ଜଳ ଯୋଗାଣ ଓ ପ୍ରକଳ୍ପ ଗୁଡ଼ିକ କାହା ସ୍ୱାର୍ଥରେ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି।ଏନେଇ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପାନୀୟ ଜଳ ସକାଶେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ମତୋ ସେବା ସମବାୟ ସମିତିର ୧୫ ଜୋନ ମେମ୍ବର ନିର୍ଦୋନ୍ଦରେ ନିର୍ବାଚିତ...

Sat May 28 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ମତୋ ସେବା ସମବାୟ ସମିତିରେ ଆସନ୍ତା ଜୁନ ୧୯ତାରିଖରେ ସମବାୟ ନିର୍ବାଚନ ନିମନ୍ତେ ଧାର୍ଯ୍ଯ କରାଯାଇ ନାମାଙ୍କନପତ୍ର ଦାଖଲ ତାରିଖ ଥିଲା, କିନ୍ତୁ ସବୁଠୁ ଆଶ୍ଚର୍ଯ୍ଯର କଥା ଶାସକ ବିଜେଡି ସମର୍ଥୀତ ପ୍ରର୍ଥୀ ସମସ୍ତ ୧୫ଟି ଯାକ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅନ୍ଯ ବିଜେପି କିମ୍ବା ଙ୍କଗ୍ରେସ ସମର୍ଥିତ କୌଣଷି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି |ବିଜେଡି ସମର୍ଥୀତ […]

You May Like

Pin It on Pinterest