
ମନୋଜ ମହାନ୍ତି(ଭୁବନେଶ୍ବର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ନାହିଁତ ରାସ୍ତାରେ ଗଡ଼ିପାରିବନି କୌଣସି ଗାଡ଼ି। କେବଳ ନୂଆ ଗାଡି ନୁହେଁ ପୁରୁଣା ଗାଡ଼ିରେ ବି ଲଗାଇବାକୁ ବାଧ୍ୟ ଏହି ନମ୍ବର ପ୍ଲେଟ୍ ।
୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ। ରାଜ୍ୟ ପରିବହନ କର୍ତୃପକ୍ଷ ନୂଆ ନମ୍ବର ପ୍ଲେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ କଡ଼ା ନିର୍ଦେଶ ଦିଆଯାଇଛି ।
ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥାକୁ ଏହି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ଅନୁମତି ମିଳିଛି | ସେଥି ମଧ୍ୟରୁ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ ଆପ୍ ରଖାଯାଇଛି। ଏସ୍ଆଇଏଏମ୍ ପୋର୍ଟାଲ୍(ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚର୍ସ)ରେ ଆବେଦନ କରିବାକୁ ପଡିବ । ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ।

ହେଲେ ଓଡ଼ିଶାରେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍ଏସ୍ଆର୍ପି ପ୍ଲେଟ୍ ମିଳିବ ନାହିଁ। ଯେଉଁମାନେ ଏନ୍ଓସି(ନୋ ଅବ୍ଜେକ୍ସନ ସାର୍ଟିଫିର୍କେଟ୍) ଆଣିଥିବେ,ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ।
କେଉଁ ଗାଡି କେବେସୁଧା ଏହି ନମ୍ବର ପ୍ଲେଟ ଲଗାଇବେ –
ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଓ ୨ ରହିଛି, ସେହି ଗାଡ଼ିଗୁଡ଼ିକ ଅଗଷ୍ଟ ୩୧ ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବେ। ସେହିପରି ଶେଷ ଅଙ୍କ ୩ ଓ ୪ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୦, ଶେଷ ଅଙ୍କ ୫ ଓ ୬ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୧, ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ି ୩୦ ନଭେମ୍ବର ଏବଂ ଯେଉଁଗାଡ଼ିର ପଞ୍ଜୀକରଣ ନମ୍ବର ଶେଷ ଅଙ୍କ ୯ ଓ ୦, ସେମାନେ ୩୧ ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ।
୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା…
ତେବେ ଚୋରି କି ହଜିଲେ କିମ୍ବା ନମ୍ବର ପ୍ଲେଟ୍ ଭାଙ୍ଗିଗଲେ, ମନଇଚ୍ଛା ନମ୍ବର ପ୍ଲେଟ୍ ମିଳିପାରିବ ନାହିଁ। ଏଥିପାଇଁ ସମ୍ପୃକ୍ତ ଥାନାରେ ଅର୍ଥାତ ଯେଉଁ ଅଞ୍ଚଳରେ ଘଟଣା ଘଟିଥିବ, ସେହି ଥାନାରେ ଏକ ମାମଲା ରୁଜୁ କରିବାକୁ ହେବ। ଏଫ୍ଆଇଆର୍ କପି ସହ ଏସ୍ଆଇଏଏମ୍ ପୋର୍ଟାଲ୍ରେ ଆବେଦନ କରିବେ। ଯେଉଁମାନେ ଏହି ନମ୍ବର ପ୍ଲେଟ ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ।