ବାସ୍ତବ ବ୍ୟୁରୋ: ରାଜ୍ୟସଭା ପାଇଁ ରେସ୍ ଆରମ୍ଭ ହେଇଯାଇଛି । ରାଜ୍ୟ ସଭାର ୫୫ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଏସବୁ ଆସନ ପାଇଁ ନିର୍ବାଚନ ହେବ। ୧୭ ରାଜ୍ୟରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ, ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ରାଜ୍ୟ ସଭାରୁ ଓଡ଼ିଶାର ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ସାଂସଦ ଅନୁଭବ ମହାନ୍ତି ଲୋକ ସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନଟି ଖାଲିପଡ଼ିଛି। ଏହି ୪ ଜଣଙ୍କ ସ୍ଥାନରେ ୪ ନୂଆ ସଦସ୍ୟଙ୍କୁ ରାଜ୍ୟସଭା ପଠାଯିବ। ତେବେ ବିଦାୟ ନେବାକୁ ଥିବା ଓଡ଼ିଶାର ୩ ସଦସ୍ୟ ହେଉଛନ୍ତି ବିଜେଡି ସାଂସଦ ନରେନ୍ଦ୍ର କୁମାର ସ୍ବାଇଁ, ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ଵାଳ।
ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଆସନ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଂସଦ ଅନୁଭବ ମହାନ୍ତି ୨୦୧୪ ଜୁନରେ ବିଜେଡିରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟସଭାର ସବୁଠାରୁ କନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟ ସଭାରେ ତାଙ୍କ ଆସନଟି ଖାଲି ପଡ଼ିଥିଲା।
ବଡ଼ କଥା ହେଉଛି ବିଜେପି ପାଖରେ୨୩ ବିଧାୟକ ଅଛନ୍ତି । ଅର୍ଥାତ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ବିଜେପିକୁ ଦରକାର ୭ ଜଣ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତରେ ସମସ୍ତଙ୍କ ନଜର କଂଗ୍ରେସ ଖାତାରେ ଥିବା ୯ଜଣ ବିଧାୟକଙ୍କ ଉପରେ । ଦ୍ୱିତୀୟ ପସନ୍ଦକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ଉଭୟ ବିଜେଡି ଓ ବିଜେପି ରହିବେ। ଏହାରି ଭିତରେ ଗେମ୍ ଚେଞ୍ଜର ହୋଇପାରନ୍ତି ସ୍ୱାଧିନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା।