
ପ୍ରମୋଦ ନାଏକ(ଭୁବନେଶ୍ୱର):୦୪।୦୬ :ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀଙ୍କ ଇସ୍ତଫା, ନବକଳେବର ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ। ରବିବାର ପୂର୍ବାହ୍ନ ୧୧.୩୦ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସଭିଙ୍କ ମନରେ ଛନକା, କାହାର ପୁଣି ପାଳିପଡୁଛି ନୂଆ ବିଭାଗ ସହ, ତ କାହାର ସରୁଛି ମନ୍ତ୍ରୀ ପଦ । ଚାରିରୁ ଛଅ ଜଣ ମନ୍ତ୍ରୀଙ୍କ ବଦଳାଯିବା ଖବର ଆସୁଥିବା ବେଳେ ଏବେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।
ବାଚସ୍ପତିଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ନବ ଦାସ, ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ଟୁକୁନୀ ସାହୁ, ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।
୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ସୁଦୃଢ କରିବା ପାଇଁ,ଏକ ନୂଆ ଷ୍ଟ୍ରାଟେଜି ଆପଣେଇଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ କିଛି ଯୁବ ଚେହେରାଙ୍କୁ ସାମିଲ କରାଯିବାକୁ ଥିବା ବେଳେ ପୁରୁଖା ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ ।