
ପ୍ରମୋଦ ନାୟକ(ଭୁବନେଶ୍ୱର): ସୋମବାର ଭୁବନେଶ୍ୱରର ଏକ ତାରକା ହୋଟେଲରେ,‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚିତ । ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡ଼ିଆ ସଂସ୍କରଣର ଉନ୍ମୋଚନ ବେଳେ ଏକ ରହସ୍ୟ ଉପରୁ ପରଦା ହଟାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।୧୯୮୪ ମସିହା ଗୁଜରାଟ ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିରରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ହୁତୁହୁତୁ ହୋଇ ଜଳୁଥାନ୍ତି ତ୍ରିମୂର୍ତ୍ତି । ପ୍ରତିବାଦ କରିବାକୁ ସାମ୍ନାକୁ ଆସିଥିଲେ ଦୁଇ ଜଣ । ସେଦିନର ଦାରୁଦିଅଁ ପୋଡ଼ିର ପ୍ରତିବାଦ ଭିତରୁ ଜନ୍ମ ନେଇଥିବା ଦୁଇ ଅଗ୍ନିବର୍ଷୀ ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଖାଲି ସେତିକି ନୁହେଁ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମଧ୍ୟ ମୁକ୍ତ କଣ୍ଠରେ ଉଦଘୋଷଣ କରିଛନ୍ତି ଶାହ । ଏକ ଘରୋଇ ଟିଭି ଚ୍ୟାନେଲରେ ପାଇକ ବିଦ୍ରୋହ ଉପରେ ଆଧାରିତ ବିଦ୍ରୋହୀ ନାମରେ ପ୍ରସାରିତ ହେଉଥିବା ଏକ ଧାରବାହିକର ସ୍କ୍ରିନିଂ ଦେଖିବା ପରେ ଏମିତି କହିଥିଲେ ଅମିତ ଶାହ, ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ପାଇଁ ଦଳ ପ୍ରକ୍ରିୟା ଜାରି ରଖିଛି । ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଏକ ସମୟରେ ୧୨ରୁ ୧୪ପ୍ରତିଶତ ଭୋଟ୍ ପାଉଥିଲା । ଏବେ ୩୦ରୁ ୩୮ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଛି । ସୌମ୍ୟରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା ଗରିବ ଲୋକଙ୍କ ପାଖରେ ଘର, ଜଳ, ପହଞ୍ଚାଇବା । କେବଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି ।
ଏଥିସହ ଓଡ଼ିଶାର ଇତିହାସକୁ ସାରା ଭାରତରେ ପହଞ୍ଚାଇବା ପାଇଁ ହିନ୍ଦୀରେ ଇତିହାସ ପୁସ୍ତକ ରଚନା ପାଇଁ ଧର୍ମେନ୍ଦ୍ରଙ୍କୁ ଶ୍ରୀ ଶାହ କହିଥିବା ମଧ୍ୟ ଆଜି ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତାର ନାମ ହେଉଛନ୍ତି ଅମିତ ଶାହ । ଶାହାଙ୍କ ନିଷ୍ପତ୍ତି ନେବାର କ୍ଷମତା ଯୋଗୁଁ ହିଁ ଦେଶରୁ ଧାରା ୩୭୦ ହଟିବା ସହ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଏକ୍ ଭାରତ ଭାରତର ସ୍ବପ୍ନ ପୂରଣ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ଏହି ଅବସରରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା, ପୁସ୍ତକ ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହାସହ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର ମଧ୍ୟ ଉପସ୍ଥିତ ଥିଲେ ।