ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ ୭ ତାରିଖ ବେଳକୁ ପ୍ରଥମ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪…

ଭୁବନେଶ୍ୱର(ବାସ୍ତବବ୍ୟୁରୋ)୦୫/୦୮: ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ,ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ।ଦ୍ୱିତୀୟ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ଅଛି, ତାହା ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ର ରୂପ ନେବାର ସମ୍ଭାବନା ଅଧିକ ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ଅନୁସାରେ, ବର୍ତ୍ତମାନ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।ଅନ୍ୟପଟେ ମୌସୁମୀଜନିତ ନିମ୍ନ ଚାପରେଖା ବିକାନେର, ଶିବପୁରୀ, ଜବଲପୁର, ରାୟପୁର ଓ ଭୁବନେଶ୍ବର ହୋଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳ‌ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଆ‌ଦି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ୬ ତାରିଖ(ଶନିବାର)ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଅନୁଗୁଳ, ଖୋର୍ଧା, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାଇ,ଲଘୁଚାପ ପ୍ରଭାବରେ ୭ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ସେ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଣୁ ଏହି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ବରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।ଆଗାମୀ ଦୁଇ ସପ୍ତାହ ପାଇଁ ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି, ଚଳିତ ସପ୍ତାହରେ ଏକ ଲଘୁଚାପ ସମ୍ଭାବନା ଥିବାବେଳେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା କମ ।ହେଲେ ୧୩ ଓ ୧୪ ତାରିଖ ରେ ହେବାକୁ ଥିବା ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ଅଛି, ତାହା ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ର ରୂପ ନେବାର ସମ୍ଭାବନା ଅଧିକ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ କର୍ମବୀର ଗୌରୀଶଙ୍କର ରାୟ ଟାଉନହଲ୍ ରେ "ଗଣେଶ ମହାତ୍ସବ-୨୦୨୨"ର ପ୍ରସ୍ତୁତି ବୈଠକ...

Fri Aug 5 , 2022
କଟକର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ “ଶ୍ରୀ ଗଣେଶ ମହାତ୍ସବ-୨୦୨୨” ର ପ୍ରସ୍ତୁତି ବୈଠକ ମହାସମାରୋହରେ ମହୋତ୍ସବ କମିଟିର ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ଅତିଥିମାନଙ୍କ ମଧ୍ଯରେ ମହୋତ୍ସବ କମିଟିର ମୂଖ୍ଯ ଉପଦେଷ୍ଟା ମାନ୍ଯବର ନ୍ଯାୟମୂର୍ତ୍ତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମୂଖ୍ଯ ପ୍ରୂଷ୍ଟପୋଷକ ବରିଷ୍ଠ ସାମ୍ବାଦିକ, ବରିଷ୍ଠ ରାଜନେତା, ଦୈନିକ ସମ୍ବାଦପତ୍ର “ସମ୍ବାଦ” ର […]

You May Like

Pin It on Pinterest