
କଟକ ଓ କେନ୍ଦ୍ରାପଡ଼ାରୁ-ସଞ୍ଜୟ ଶତପଥୀ ଓ ଜୟନ୍ତ ଶତପଥୀ: ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାନି ମହାନଦୀ ।ବନ୍ୟାଜଳ ବୃଦ୍ଧିକୁ ନେଇ, ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳ ଅଧିବାସୀ । ଅନେକ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡିଛି। ପଛୁଆ ପାଣି ଅଧିକାଂଶ ଅଞ୍ଚଳକୁ ବୁଡାଇ ସାରିଲାଣି। ଏଭଳି ସ୍ଥିତିରେ ଲୋକ କ୍ଷୟକ୍ଷତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ମହାନଦୀ ଓ କାଠଯୋଡ଼ି ପାଣି କଟକ ସହରର ତଳିଆ ଅଞ୍ଚଳକୁ ବି ବୁଡାଇ ଦେଇଛି। ଯେଉଁଠି ଗଲା ୬ ବର୍ଷ ହେଲା ପାଣି ପଶି ନଥିଲା, କଟକ ସହରର ସେ ଅଞ୍ଚଳରେ ବି ଏବେ ପାଣି ।
ମହାନଦୀର ମୁଣ୍ଡଳିରେ ମଙ୍ଗଳବାର ରାତି ୧୧ଟା ବେଳକୁ ୧୨ ଲକ୍ଷ କ୍ୟୁସେକ୍ରୁ ଅଧିକ ପରିମାଣର ବନ୍ୟା ଜଳ ପ୍ରବାହିତ ହେଉଛି। ମହାନଦୀର ଯୋବ୍ରା ବ୍ୟାରେଜ ନିକଟରେ ବିପଦ ସଙ୍କେତ ୨୧.୯୪ ଫୁଟ ରହିଥିବା ବେଳେ ରାତି ୧୧ଟା ବେଳକୁ ୨୨.୧୫ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। କାଠଯୋଡ଼ିର ନରାଜରେ ବିପଦ ସଙ୍କେତ ୨୬.୪୧ ଫୁଟ ରହିଥିବା ବେଳେ ରାତି ୧୧ଟା ବେଳକୁ ବନ୍ୟାଜଳ ୨୫.୫୫ ଫୁଟ୍ରେ ପ୍ରବାହିତ ହେଉଛି। ସମସ୍ତଙ୍କ ନଜର ଥିବା ଦଳେଇ ଘାଇ କଥା ନକହିବା ଭଲ,ଜଗତସିଂହପୁର ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଦଳେଇ ଘାଇରେ ଜଳସ୍ତର ୬୧ ଫୁଟ୍ ଟପି ଗଲାଣି। ପୁରୁଣା ତଥ୍ୟ ଅନୁଯାୟୀ ଯଦିଓ ଦଳେଇ ଘାଇର ବିପଦସଙ୍କେତ ୫୭ ଫୁଟ ବୋଲି ଧରା ଯାଉଛି, କିନ୍ତୁ ନଦୀ ବନ୍ଧ ମଜଭୁତ ହେବା ପରେ ଏବେ ୬୨ ଫୁଟ ଟପିଲେ ଅଧିକ ବିପଦ ଆଶଙ୍କା କରାଯାଉଛି।
୧୯୫୫, ୧୯୮୨ରେ ଦଳେଇ ଘାଇ ନିକଟରେ ବନ୍ଧ ଭାଙ୍ଗିବା ବେଳେ ସେଠାରେ ୬୪ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିବାର ରେକର୍ଡ ରହିଛି। ଆସନ୍ତକାଲି ସୁଦ୍ଧା କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟାଜଳ ଆହୁରି ବଢିବାର ଆଶଙ୍କା କରାଯାଉଛି।
କଟକ ଜିଲ୍ଲାର ବାଙ୍କୀରୁ ନରସିଂହପୁର ଯାଏ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଛି। ଆଠଗଡ଼, ତିଗିରିଆର ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ମହାନଦୀ ଓ ପାଇକାର ବନ୍ୟାଜଳ କୂଳ ଡେଇଁ ଗାଁକୁ ପଶି ସାରିଛି। ଅନେକ ତଳିଆ ଅଞ୍ଚଳ ଏବେ ସଂପୂର୍ଣ୍ଣ ଜଳବନ୍ଦି ସ୍ଥିତିରେ ରହିଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରରେ ଚିତ୍ରୋତ୍ପଳା ଓ ପାଇକା ନଦୀର ବିଭିନ୍ନ ସ୍ଥାନରେ ଘଳିଆ ପଡିବା ଅଞ୍ଚଳବାସୀଙ୍କ ପାଇଁ ଭୟ ଓ ଆଶଙ୍କାର କାରଣ ସାଜିଛି । ଚଳିତ ବର୍ଷ ବନ୍ୟାର ସବୁଠୁ ଅଧିକ ପରିମାଣର ବନ୍ୟାଜଳ ଆଜି ଏହି ସବୁ ତଳିଆ ଅଞ୍ଚଳ ଦେଇ ପ୍ରବାହିତ ହେବ। ବନ୍ୟାଜଳକୁ ବନ୍ଧ କେତେ ସମ୍ଭାଳିବ, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସବୁଠାରୁ ଦୁର୍ଭାଗ୍ୟ ଜନକ କଥା ଯାହା ଖବର ମିଳୁଛି ବନ୍ୟା ଜଳ ଘେରରେଥିବା ଅଧିକାଂଶ ଲୋକଙ୍କ ପାଖରେ ସରକାର ଏପର୍ୟ୍ଯନ୍ତ ପହଂଚି ପାରି ନାହାନ୍ତି ।