
ସଞ୍ଜୟ ଶତପଥୀ(କଟକ): କଟକ ଜିଲ୍ଲାର ପରିବା ଝୁଡ଼ିରେ ଝଡ, ଆଗକୁ କଟକ-ଭୁବନେଶ୍ବରରେ ପରିବା ଅମୂଲମୂଲ ହେବ । କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛାଡି ନ ପାରେ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ପଚି,ସଢିଗଲାଣି।ଏହି ସବୁ ଅଞ୍ଚଳକୁ କଟକ ଜିଲ୍ଲାର ପରିବା ଝୁଡ଼ି କୁହାଯାଉଥିବା ବେଳେ ଆଗକୁ କଟକ-ଭୁବନେଶ୍ବର ତଥା ଆଖପାଖ ଅଞ୍ଚଳରେ ପରିବା ଅମୂଲମୂଲ ହେବା ଆଶଙ୍କା ସୃଷ୍ଟି ହୋଇଛି।
ସରକାରୀ ରିପୋର୍ଟ ଅନୁଯାଇ,କଟକ ଜିଲ୍ଲାରେ ପାଖାପାଖି ୪୦ହଜାର ହେକ୍ଟର ଚାଷ ଜମି ଏବେ ବି ପାଣି ଘେରରେ ରହିଛି। ସେଥିରୁ ଧାନ ଜମି ହେଉଛି ପାଖାପାଖି ୩୦ହଜାର ଓ ଅଣଧାନ ହେଉଛି ୧୦ହଜାର ହେକ୍ଟର। କୃଷି ବିଭାଗ ରିପୋର୍ଟ ଅନୁସାରେ ବାଙ୍କୀ ବ୍ଲକ୍ରେ ୮ହଜାର ୫୦୦ ହେକ୍ଟର ଚାଷ ଜମି ପାଣି ଭିତରେ ରହିଥିବାବେଳେ ସେଥିରୁ ୫୬୦୦ ହେକ୍ଟର ଧାନ ଓ ୨୮ଶହ ହେକ୍ଟର ଅଣଧାନ। ବାଙ୍କୀ-ଡମପଡା ବ୍ଲକ୍ରେ ୮୮୨୫ ହେକ୍ଟର ଚାଷଜମି ପାଣିରେ ବୁଡି ରହିଛି ।
ସେହିପରି ବଡମ୍ବାରେ ୩୯୧୩, ନରସିଂହପୁରରେ ୩୫୭୦ ହେକ୍ଟର, ଆଠଗଡ଼ରେ ୧୯୫୧, ତିଗିରିଆରେ ୧୬୯୭, କଟକ ସଦରରେ ୧୨୯୪, କଣ୍ଟାପଡା ୧୦୬୦, ନିଆଳି ୨୫୪୩,ବାରଙ୍ଗରେ ୨୦୦, ଟାଙ୍ଗୀ-ଚୌଦ୍ବାରରେ ୬୧୬, ନିଶ୍ଚିନ୍ତକୋଇଲିରେ ୧୫୭୪ ହେକ୍ଟର ଚାଷ ଜମି ଏବେ ପାଣି ଭର୍ତ୍ତି ହୋଇ ରହିଥିବା ଦର୍ଶାଯାଇଛି।
କିନ୍ତୁ ସରକାରୀ ରିପୋର୍ଟଠାରୁ ଢେର ଅଧିକ ଜମି ଏବେବି ପାଣି ଘେରରେ ରହିଛି। ପାଣି ନିଷ୍କାସନ ହୋଇପାରୁନି। ଯଦିଓ ବର୍ଷା ପାଣି ଛାଡିବା ପରେ କୃଷି ବିଭାଗ ତାର ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଦେବ, ହେଲେ ଏବର ସ୍ଥିତି ଅନୁଯାୟୀ ଅଞ୍ଚଳରେ ହୋଇଥିବା କଲରା, ଜହ୍ନି, ପୋଟଳ, ବୋଦି, ଭେଣ୍ଡି, ଛଚିନ୍ଦ୍ରା, ବାଇଗଣ, ଟମାଟୋ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାଶଙ୍କ ମତରେ,ପାଣି ସମ୍ପୂର୍ଣ ନଛାଡିବା ପର୍ଯ୍ୟନ୍ତ ଫସଲର ପ୍ରକୃତ କ୍ଷୟକ୍ଷତି ଆକଳନ କରି ହେବନାହିଁ । ଜିଲ୍ଲାର ୬ଟି ବ୍ଲକ୍ ଅର୍ଥାତ୍ ଆଠଗଡ଼, ବଡ଼ମ୍ବା, ନରସିଂହପୁର, ତିଗିରିଆ, ବାଙ୍କୀ-ଡମପଡା, ନିଆଳି ବ୍ଲକ୍ରେ ହେକ୍ଟର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି। ଧାନ ଫସଲ ସହ ପନିପରିବା ସବୁ ନଷ୍ଟ ହେବାର ଆଶଙ୍କା ରହିଛି। ଆଠଗଡ଼, ନିଆଳି ତଥା ଅନ୍ୟ ଅଞ୍ଚଳରେ ବି ଏବେ ଚାଷ ଜମି ପାଣିରେ ବୁଡ଼ି ଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।