
ଭୁବନେଶ୍ଵର(ବାସ୍ତବବ୍ୟୁରୋ): ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ।ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ,ବାତ୍ୟାର ସମ୍ଭାବନା ନାହିଁ ।ହେଲେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଏହି ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୮ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେପଟେ ଏସଆରସିଙ୍କ କହିବା କଥା ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ଅବବାହିକାରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ଦେଖି ନିଷ୍ପତ୍ତି ନିଆ ଯିବ ।
ବନ୍ୟା ଭିତରେ ବର୍ଷା ଭୟ ।ବାତ୍ୟାର ଭୟ ନାହିଁ ହେଲେ ପବନର ବେଗ ୫୫ରୁ ୬୫, ବେଳେ ବେଳେ ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।ଏହି ଅବପାତର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଛି । ବେଳେ ବେଳେ ଘଣ୍ଟା ପ୍ରତି ୭୫କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି ।
ଗଭୀର ଅବପାତ ଯୋଗୁଁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ଉତ୍ତର ଓଡ଼ିଶା ଜିଲ୍ଲାରେ ବର୍ଶାର ପରିମାଣ ବଢ଼ିବ । ଗଭୀର ଅବପାତ ଉପକୂଳ ଆଡ଼କୁ ମୁହାଁଇଲେ ଉତ୍ତର ଓଡ଼ିଶା ନିକଟ ଦେଇ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ । ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ୪ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ।
ସେହିଭଳି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଯାଜପୁର । ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ।