
ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ,ଅଗଷ୍ଟ ୨୯କୁ ଜାତୀୟ କ୍ରିଡା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ ଥିଲେ ।
ପ୍ରାରମ୍ଭରେ କ୍ରୀଡା ଉପରେ ଏକ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କ୍ରୀଡା ହେଉଛି ଜୀବନର ଆବଶ୍ୟକତା । ଚିତ୍ତ ବିନୋଦନ ସହ ସୁସ୍ଥ ରହିବା ନିମନ୍ତେ କ୍ରୀଡା ହେଉଛି ମହୋଷଧି । ଲକ୍ଷ ହାସଲ ହେଉଛି କ୍ରୀଡାର ମୌଳିକତା ଏବଂ ଯାହାକୁ ପାଥେୟ କରି ଜୀବନରେ ଅନେକ ଶିକ୍ଷଣୀୟ କଥା ଅନୁଭବ କରାଯାଇପାରେ । ଅନେକ ଭଲ ଛାତ୍ର ପାଠପଢା ବ୍ୟତୀତ କ୍ରୀଡାରେ ନିଜର କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ହେବା ଅନେକ ଉଜ୍ଜଳ ଉଦାହରଣ ରହିଛି ।

ସେହିଭଳି କ୍ରୀଡା କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ ସମେତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମାନ ସୁଯୋଗ ରହିଛି । ପୂର୍ବାପେକ୍ଷା ବିଭିନ୍ନ କ୍ରୀଡାର ପରିସର ବ୍ୟାପକ ହେଉଥିବା ଦୃଷ୍ଟିରୁ ପେଶାଦାର ମାନଙ୍କ ପାଇଁ ମଧ୍ୟ ଏହା ସମ୍ମାନ ସହ ରୋଜଗାର ଦେବାର ଏକ ମାଧ୍ୟମ ପାଲଟିଛି । ବିଦ୍ୟାଳୟ ସ୍ତରରୁ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାକୁ ଉପଯୋଗ କରି ଜଣେ ସଫଳ କ୍ରୀଡାବିଦ୍ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଅଜୟ କୁମାର ବେହେରା, ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ପଠାଣି ଆଗ୍ରା ସିଂ, କ୍ରୀଡା ସମୀକ୍ଷକ ଶ୍ରୀ ଆଶିଷ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।