ରାସ୍ତାରେ ବିନା ହେଲ୍ମେଟ୍ ଚାଳକଙ୍କ ବିରୋଧରେ ରାଜ୍ୟ ପରିବହନ ବିଭାଗ ତରଫରୁ ଗତ ଦୁଇ ସପ୍ତାହ ହେବ ଚାଲିଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳତା ମିଳିଛି।

ବାସ୍ତବବ୍ୟୁରୋ:ଏହି ଦୁଇ ସପ୍ତାହ ମଧ୍ୟରେ ୨୪ ହଜାର ୪୭୪ ଗାଡ଼ିର ଚାଲାଣ ଜାରି କରାଯାଇଥିବା ବେଳେ ବିନା ହେଲ୍ମେଟରେ ଗାଡ଼ି ଚଳାଉଥିବା ମୋଟ୍ ୧୨ ହଜାର ୫୪୫ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି। ସେହିଭଳି ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନ୍ଫୋର୍ସମେଣ୍ଟ୍ ଟିମ୍ ଦ୍ବାରା ଏହି ଦୁଇ ସପ୍ତାହରେ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିବା ନେଇ ପରିବହନ ବିଭାଗ ସୂଚନା ଦେଇଛି ।
ଏ ସମ୍ପର୍କରେ ପରିବହନ, ଏନଫୋର୍ସମେଣ୍ଟ୍ ଏବଂ ସଡ଼କ ସୁରକ୍ଷା ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି, “ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଚାଳକମାନଙ୍କ ମଧ୍ୟରେ ସଡ଼କ ଦୁର୍ଘଟଣା ସଂପର୍କରେ ସଚେତତନା ସୃଷ୍ଟି କରି ମୃତ୍ୟୁହାର ରୋକିବା। ଟ୍ରାଫିକ୍ ଏନ୍ଫୋର୍ସମେଣ୍ଟ୍ ଟିମ୍ର ଲଗାତାର ଚଢ଼ାଉ ଯୋଗୁଁ ଏବେ ସହରାଞ୍ଚଳରେ ଲୋକ ହେଲ୍ମେଟ୍ ବ୍ୟବହାର ବଢିଛି। ତେବେ, ରାଜପଥରେ ହେଲମେଟ୍ ବ୍ୟବହାର କରୁ ନଥିବାରୁ ଦୁର୍ଘଟଣାରେ ଜୀବନ ହାନି ଘଟୁଛି।”
ସେପ୍ଟେମ୍ବର ମାସରେ ଟ୍ରାଫିକ୍ ଏନ୍ଫୋର୍ସମେଣ୍ଟ୍ ଅଭିଯାନ ଆହୁରି ବୃଦ୍ଧି କରାଯିବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ମୋଟରଯାଜନ ନିୟମ ଭାଙ୍ଗିବା ପାଇଁ ଶୂନ୍ୟ ସହନଶୀଳତା ରହିବ। ଏନ୍ଫୋର୍ସମେଣ୍ଟ୍ ଡ୍ରାଇଭ୍ରେ ମଦ୍ୟପ ମଦ୍ୟ ପାନ କରି ଗାଡି ଚାଳନା, ହେଲମେଟ୍ ଯାଞ୍ଚ୍, ସ୍କୁଲ ବସ୍ ଓ ଯାନବାହନ ଗୁଡିକର ଓଭରଲୋଡିଂ ସହିତ ଯାନର ଫିଟ୍ନେସ ଯାଞ୍ଚ କରାଯିବ ।



