
ମନୋଜ ମହାନ୍ତି(ବାସ୍ତବ ବ୍ୟୁରୋ):୭ ଦିନର ବ୍ୟବଧାନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବେ। ଦର୍ଶକଙ୍କ ଉତ୍କଣ୍ଠା ଦୁଇ ଗୁଣା ହୋଇଯାଇଛି । ୪ ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ ଉଭୟ ଦଳ ୭ ଦିନର ବ୍ୟବଧାନ ମଧ୍ୟରେ ପରସ୍ପର ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ । ଏହାପୂର୍ବରୁ ୨୦୧୮ ଏସିଆ କପରେ ଦୁଇ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯାଇଥିଲା ଏବଂ ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍ ଜିତିଥିଲା । ଆସନ୍ତୁ ଜାଣିବା ଆଜି ଅନୁଷ୍ଠିତ ହେବାକୁ ଥିବା ମହାନ ମ୍ୟାଚ୍ ବିଷୟରେ ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ଠାରେ ଭାରତ ଓ ପାକିସ୍ତାନ ମୁଁହାମୁହିଁ ହେବେ । ଅଗଷ୍ଟ ୨୮ ରେ, ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ । ଭାରତ ଉକ୍ତ ମ୍ୟାଚ୍କୁ ୫ ୱିକେଟ୍ରେ ଜିତିଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ ଲାଗି ରହିଥିଲା । ଆଜି ମଧ୍ୟ ଏଭଳି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ନିଶ୍ଚିତ ।
ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳର ଶକ୍ତି ସମାନ । ବୋଲିଂ ବିଭାଗ ଶୃଙ୍ଖଳିତ । ଷ୍ଟାର୍ ଖେଳାଳିମାନେ ଫର୍ମ ଫେରିପାଇଛନ୍ତି । କେବଳ ରଣନୀତି ଯାହା ପ୍ରଭାବ ପକାଇବ । ପାକିସ୍ତାନର ମହମ୍ମଦ ରିଜୱାନ, ବାବର ଆଜମ ଓ ଫଖାର ଜମାନ ବିସ୍ଫୋରକ ବ୍ୟାଟିଂ କରିବାକୁ ଅପେକ୍ଷା କରିଛନ୍ତି । ସେହିପରି ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି। ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି।
ସେପଟେ ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି। ସେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପରୁ ବି ବାଦ ପଡିବାର ଆଶଙ୍କା ରହିଛି। ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଦ୍ରୁତ ବୋଲର ଶାହନାୱାଜ ଦହାନୀ ଦଳରୁ ବାଦ ପଡିଛନ୍ତି। ପୂର୍ବରୁ ଆହତ କାରଣରୁ ସାହିନ୍ ଅଫ୍ରିଦି ଓ ମହମ୍ମଦ ୱାସିମ୍ ଦଳରୁ ବାଦ ପଡିଛନ୍ତି।