
ଭୁବନେଶ୍ୱର: ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିବା ତଥା ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ” ପାଳିତ ହେଉଅଛି l ଭାରତରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଓ ଓଡ଼ିଶାରେ ବର୍ଷକୁ ଛଅ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବେଳେ ଦଶ ଲକ୍ଷରୁ ଅଧିକ ଅର୍କମଣ୍ୟ ହେଉଛନ୍ତି l
ଏହି ଅବସରରେ ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ” ବଡ଼ଗଡ କେନାଲ କଲୋନୀ “ପାଟଳିପ୍ରଭା” ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଅଛି l ଡିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁରୁଷୋତ୍ତମ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାଥମିକ ଚିକିତ୍ସା ତାଲିମ କର୍ମଶାଳାରେ ଡାକ୍ତର ସତ୍ୟଜିତ ସାହୁ,ଡାକ୍ତର ସୁବୀର କୁମାର ବଳ,ଡାକ୍ତର ଆଶିଷ କୁମାର ମୁଦୁଲି ଡାକ୍ତର ସୁଭିଜ୍ଞା ସାହୁ, ଡାକ୍ତର ସୁଶ୍ରୀ ଶର୍ମିଷ୍ଠା, ଡ଼ ଅଭିପ୍ସା ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୁର୍ଘଟଣାରେ ଆହତ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ l

ଭାରତରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଶତକଡା ସତୁରି ଭାଗ ଯୁବପିଢ଼ି ଓ ସେମାନଙ୍କ ମଧ୍ୟରୁ ନବେ ଭାଗ ନିମ୍ନ ଓ ମଧ୍ୟ୍ୟବିତ୍ତ ପରିବାରର ଅଟନ୍ତି l ଏହା ଦେଶର ପ୍ରଗତିରେ ବାଧକ ହେବା ସହ ପରିବାରର ଆର୍ଥିକ ଦୁରବସ୍ଥା ଆଣିଥାଏ l ଯଦି ଠିକ ସମୟରେ ଓ ସଠିକ ପ୍ରାଥମିକ ଚିକିତ୍ସା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରଦାନ କରାଯାଇପାରିଲେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକା ଯାଇ ପାରିବ ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ l
ଏ. ଜି ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଶନିବାର ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବସ୍ତିବାସିନ୍ଦାଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ଡ଼ ମମତା ପଶୟତ,ତାଲିମ ପ୍ରଶିକ୍ଷିକା କାଦମ୍ବିନୀ ଦାସ, ଆମ୍ବୁଲାନ୍ସ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ଅଭିଳାଷ ବଳ,ବୃନ୍ଦାବନ ତରାଇ, ପ୍ରଦୀପ୍ତ କୁମାର ପାତ୍ର ଓ ପ୍ରକାଶ ଗୌଡ଼ ପରିଚାଳନା କରିଥିଲେ l