
ଭୁବନେଶ୍ୱର ୧୬/୦୯: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ ଅନୁଯାଇ, ଆସନ୍ତା ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ।ଏହି ଲଘୁଚାପ ପ୍ରଭାବରେ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହାପରେ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଏବେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ୧୮ରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ରାଜ୍ୟରେ ପୁଣି ବର୍ଷା ହେବ ।
ସେହିପରି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ୧୮ରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ୧୯ରେ ଲଘୁଚାପ ଏବଂ ୨୦ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହେବ । ଏହା ଅବପାତ ରୂପ ମଧ୍ୟ ନେଇପାରେ । ୨୧ରେ ଓଡ଼ିଶା ସ୍ଥଳ ଭାଗରେ ରହି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ମୁହାଁଇବ । ୨୦ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ୨୩ରେ ଉପକୂଳରେ ବର୍ଷା ଲାଗି ରହିବ । ୨୨ ଓ ୨୩ରେ ଦିନ ତାପମାତ୍ରା ବିଶେଷ ଭାବେ କମି ପ୍ରାୟତଃ କୋହଲା ରହିବ । ୨୩ ପରେ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କମିବ ।



