ବାସ୍ତବ ବ୍ୟୁରୋ- ଦିନକୁ ଦିନ ଦେଶ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଭୂତାଣୁ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୬୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ୨୬୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ୨୫ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏପ୍ରିଲ୍ ୨ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୯୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।
ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲାଣି । ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଖୁବଶୀଘ୍ର ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ସହିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ପକ୍ଷରୁ କୁହାଯାଇଛି।



