ବାସ୍ତବ ବ୍ୟୁରୋ- ଆଜି ସକାଳ ୯ ଟାରେ ଭିଡିଓ ବାର୍ତ୍ତା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲକଡାଉନକୁ ସମ୍ମାନ ଦେଇଥିବାରୁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ସହ ସେ କହିଲେ କି, କରୋନାକୁ ହରାଇବାକୁ ପଡିବ, ଭାରତକୁ ଜିତେଇବାକୁ ପଡିବ । କରୋନା ସହିତ ଚାଲିଥିବା ଏହି ଲଢେଇରେ ଯଦି କିଛି ଦରକାର ଅଛି ତାହା ହେଉଛି ସାମୁହିକ ଶକ୍ତି ।
ଏହି ସାମୁହିକ ଶକ୍ତିର ପରିପ୍ରକାଶ ପାଇଁ ମୋଦି ଦେଶବାସୀଙ୍କ ଠାରୁ ୯ମିନିଟର ସମୟ ମାଗିଛନ୍ତି । ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ।
କିନ୍ତୁ ୫ ତାରିଖରେ ଦୀପ ଜାଳିବା ସମୟରେ କୌଣସି ନାଗରିକ ଏକାଠି ନ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସମସ୍ତ ଦେଶବାସୀ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। କରୋନା ବିରୋଧୀ ଲଢ଼େଇରେ ସାମାଜିକ ଦୂରତ୍ଵ ଏକ ରାମବାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।