
ବିମଲ ଯୋଶୀ(ବଲାଙ୍ଗୀର):ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ ।୨୦୨୧ ଖରିଫ ଋତୁରେ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବୀମା ଭୁକ୍ତ କରିବାରୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଉପଖଣ୍ଡରେ ଥିବା ହରିଶଙ୍କର ରୋଡ ତଥା ଲାଠୋର ରେଳ ଷ୍ଟେସନରେ ରେଳରୋକ କରାଯାଉଛି।
ସୂଚନା ଅନୁଯାଇ,ଆଜି ସକାଳୁ ଲାଠୋରସ୍ଥିତ ହରିଶଙ୍କର ରେଳ ଷ୍ଟେସନରେ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାଷୀମାନେ ଏକତ୍ରିତ ହୋଇଥିଲେ। ସେଠାରେ ରେଳରୋକ କରିଥିବା ଜଣାପଡିଛି। ଏହି ସମୟରେ ଏକ ମାଲଗାଡିକୁ ଅଟକ ରଖା ଯାଇଥିବା ଜଣାପଡିଛି। ଅନ୍ୟ ରେଳ ଷ୍ଟେସନ ମାନଙ୍କରେ ମଧ୍ୟ ଅନୁରୂପ ରେଳରୋକ କରାଯାଇଛି ।
କୃଷକ ମାନଙ୍କ ଦାବି ଅନୁଯାୟୀ, ୨୦୨୧ ଖରିଫ ଋତୁରେ କୃଷିବୀମା ରାଶି ତୁରନ୍ତ ପ୍ରଦାନ କରାଯାଉ,ବଲାଙ୍ଗୀର ଜିଲ୍ଲା ଚିର ମରୁଡ଼ିପ୍ରପୀଡିତ ଜିଲ୍ଲା ହୋଇଥିବା ଜାଣି ବି ଏଥିପ୍ରତି ବିଶେଷ ଧ୍ଯନ ଦିଆ ଯାଉ ନାହିଁ କାହିଁକି ? ଜିଲ୍ଲାରେ ଭୟାବହ ମରୁଡି ହୋଇଥିବା ବେଳେ ଜିଲ୍ଲାକୁ ମରୁଡି ଘୋଷଣା କରାଯାଇ ନ ଥିବା, ୩୩ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯିବା, ଦେଓଗାଁ ଚିନିକଳକୁ କାର୍ଯ୍ୟକ୍ଷମ କରିବା, ବଲାଙ୍ଗୀରରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ପଞ୍ଜିକରଣ ବ୍ଯବସ୍ଥାରେ ସୁଧାର ଆଣିବା, ଧାନ ସଂଗ୍ରହ ସମୟରେ ଏକର ପିଛା ୧୩ କ୍ବିଣ୍ଟାଲ ବଦଳର ୨୨ କ୍ବିଣ୍ଟାଲ କରାଯିବା ଆଦି ଦାବି କରାଯାଇଛି ।



