ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ଏ ସଂକ୍ରାନ୍ତରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ପୁଲିସ ମହାନିର୍ଦେଶକ ଅଭୟ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଗୁଡ଼ିକ ମଧ୍ୟରୁ ୪ ରୋଗୀ ଭୁବନେଶ୍ଵରରୁ ଚିହ୍ନଟ ହୋଇଥିବାବେଳେ, ଜଣେ ରୋଗୀ ଭଦ୍ରକରୁ ଓ ୬ଷ୍ଠ କରୋନା ଆକ୍ରାନ୍ତ ଶୁକ୍ରବାର ଚିହ୍ନଟ ହୋଇଛନ୍ତି। ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରଥମ ୪ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିଲା। ସେମାନେ ରାଜ୍ୟ ବାହାର କିମ୍ବା ଦେଶ ବାହାରକୁ ଯାଇଥିଲେ। କିନ୍ତୁ ୫ ରୋଗୀ, ଯିଏକି ଭୁବନେଶ୍ଵରର ସୂର୍ଯ୍ୟନଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍ ସେ ଓଡ଼ିଶା ବାହାରକୁ ଯାଇନାହାନ୍ତି। ତେଣୁ ସେ କେମିତି କରୋନାଭାଇରସ୍ ଆକ୍ରାନ୍ତ ହେଲେ ତାହା ଚିନ୍ତାର କାରଣ । କରୋନାଭାଇରସ୍ ପ୍ରତିହତ କରିବାକୁ ଏ ସପ୍ତାହଟି ହେଉଛି ଗୁରତ୍ୱପୂର୍ଣ୍ଣ।
ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ଏହି ସମୟରେ କେହି ଘରୁ ବାହାରିବେ ନାହିଁ। ଘରୁ ବାହାରିଲେ ପୁଲିସ ଏବଂ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଉଠାଇନେବ। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁଇଟି ସହରରେ ଯଦି କୌଣସି ବ୍ୟକ୍ତି ସଟ୍ ଡାଉନ ନିୟମ ଉଲ୍ଲଂଘନ କରିବେ, ତେବେ ସେମାନଙ୍କୁ ସରକାରଙ୍କ ସ୍ବତନ୍ତ୍ର କ୍ବାରେଣ୍ଟାଇନ କେନ୍ଦ୍ରରେ ଅଲଗା ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।
ସଟଡାଉନରେ କୌଣସି ଦୋକାନ ବଜାର ଖୋଲା ରହିବ ନାହିଁ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । କେଉଁ ଅଞ୍ଚଳରେ କେତେ ଔଷଧ ଦୋକାନ ଖୋଲା ରହିବ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।
ଜରୁରୀ ସେବାରେ ନିୟୋଜିତ ଡାକ୍ତର, ଟେଲିଯୋଗାଯୋଗ କର୍ମଚାରୀମାନେ ଏହି ୪୮ ଘଣ୍ଟିଆ ସଟଡାଉନରେ ଯାତାୟାତ କରିବାକୁ ୧୦୦କୁ ଡାଏଲ୍ କରି ନୂଆ ପାସ୍ ପାଇ ପାରିବେ ।ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ସାମାନ୍ୟ ଅସୁସ୍ଥ ହେଲେ ଡାକ୍ତରଖାନା ନ ଯିବା ଉଚିତ ବୋଲି ପୁଲିସ ମହାନିର୍ଦେଶକ ପରାମର୍ଶ ଦେଇଛନ୍ତି । ଏହା ସେ କହିଛନ୍ତି ଯେ ବହୁସଂଖ୍ୟକ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ସେବା ବ୍ୟବସ୍ଥା କରାଯାଉଛି । ତେଣୁ କେହି ଅଧିକ ଅସୁସ୍ଥ ଅନୁଭବ କଲେ ଆମ୍ବୁଲନସ୍ ଡକାଇ ଡାକ୍ତରଖାନା ଯାଇ ପାରିବେ ।



