
ଭୁବନେଶ୍ବର : ଦୁର୍ଗାପୂଜାରେ ଏ ବର୍ଷ ବର୍ଷା ହିଁ ବାଧକ ସାଜିବ ।ଦୁଇ ବର୍ଷ କରୋନା କଟକଣା ଭିତରେ ପୂଜା ମଜାରେ ଭଟ୍ଟା ପଡିଥିବା ବେଳେ,ଏ ବର୍ଷ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ବର୍ଷା ଦାଉ ସାଜିବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆଜି ଠାରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ମହାସପ୍ତମୀରେ ସାରା ଉପକୂଳ ବର୍ଷାରେ ଭିଜିବ। ମହାଷ୍ଟମୀରେ ସମ୍ପୂର୍ଣ୍ଣ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମହାନବମୀ ଓ ଦଶମୀ ରାଜ୍ୟରେ ଅଧିକ ବର୍ଷିବ ବୋଲି ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ,ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୩ ସୁଦ୍ଧା ଲଘୁଚାପରେ ପରିଣତ ହେବ। ଆନ୍ଧ୍ର ଉପକୂଳରେ କ୍ରମଶଃ ନିକଟତର ହୋଇ ୬ତାରିଖରେ ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର-ପଶ୍ଚିମ ଦିଗରେ ଗୁଜୁରାଟ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ବଳ୍ପ (୫ରୁ ୨୦ ମିମି) ବର୍ଷା ହେବ। ୩ ତାରିଖରେ ବର୍ଷା ବଢ଼ିବ। ୪ ଓ ୬ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ବରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପ ଓ ବାକି ଆଭ୍ୟନ୍ତରରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ମହାନବମୀ ଓ ଦଶମୀରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୭ ଓ ୮ ତାରିଖରେ ବିକ୍ଷିପ୍ତ ବର୍ଷା ଓ କୁମାର ପୂର୍ଣ୍ଣିମାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ।
ଅକ୍ଟୋବର ୮ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପରେ ପରେ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଫଳରେ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ୧୨ରୁ ୧୬ ତାରିଖ ଭିତରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ। ଉପକୂଳରେ ଅପେକ୍ଷାକୃତ ଅଧିକ ବର୍ଷିବାର ସମ୍ଭାବନା ରହିଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟାର ସ୍ବାଭାବିକ ସମୟ ଅକ୍ଟୋବର ୧୫ରୁ ବିଳମ୍ବ ହେବ।



