
ପ୍ରମୋଦ ନାୟକ(ଭୁବନେଶ୍ବର): ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବୁଥ୍ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇ ଯିବାପରେ, ବିଜେପି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଉତ୍ସାହିତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶନିବାର ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ ନେଇ ସୂଚନା ଦେଇ କହିଛନ୍ତି ଯେ, ପୂଜା ପରେ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଲଢ଼େଇ ଆରମ୍ଭ ହେବ।
ଶ୍ରୀ ମିଶ୍ର,ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ। ଏଥିପାଇଁ ରାଜ୍ୟ ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ ହେବ। ରାଜ୍ୟରେ ଦୁର୍ନୀତି,ବ୍ୟଭିଚାର ଓ ଭ୍ରଷ୍ଟାଚାର କେତେ ବଢ଼ିଛି ସେନେଇ ଟିକିନିଖି ତଥ୍ୟ ଏଥିରେ ରହିବ। ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ୍। ତେଣୁ ସାରା ରାଜ୍ୟରେ ଜନତାଙ୍କ ଆଗରେ ଏହାକୁ ଉପସ୍ଥାପନ କରାଯିବ।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ,ବିଜେଡି ସରକାର ରାଜ୍ୟକୁ ଅଧୋପତନ ଆଡ଼କୁ ନେଇଯାଇଛି। ଓଡ଼ିଶାରେ ସବୁ ଥାଇ ବି କିଛି ନାହିଁ। ସବୁ କ୍ଷେତ୍ରରେ ପଛରେ। ରାଜ୍ୟରେ ସ୍ଥିତି ଏମିତି ଯେ, ଚାଷ କଲେ ଧାନ ବିକ୍ରି ହେଉନି, ପାଠ ପଢ଼ିଲେ ଚାକିରି ମିଳୁନି। ତେଣୁ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏସବୁ ନେଇ ଲୋକଙ୍କ ପାଖକୁ ଯିବୁ।



