
ଭଦ୍ରକବ୍ୟୁରୋ: ଶୁକ୍ରବାରଠାରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ଅମିତ ସାହା, ଜେପି ନଡ୍ଡାଙ୍କ ଓଡିଶା ବିଜେପି ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇ ଯିବା ପରେ,ଉପନିର୍ବାଚନରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ବିଜେପି ଶିବିରରେ ତତ୍ପରତା ଦେଖିବାକୁ ମିଳୁଛି ।ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ନେତା ଓ କର୍ମୀମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବା ପରେ ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳକୁ ଯାଇ କର୍ମୀଙ୍କୁ ଭେଟିଛନ୍ତି।

ଅନ୍ୟପକ୍ଷରେ ବିଜେପିର ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଶୁକ୍ରବାର ଅପରାହ୍ନରେ ଭଦ୍ରକର ଏକ ହୋଟେଲରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମତୀ ପୁରନ୍ଦେଶ୍ବରୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ମଧ୍ୟ ଭେଟି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।
ସେହିପରି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଧାମନଗରର ବିଭିନ୍ନ ଅଞ୍ଚଳ ବୁଲି କର୍ମୀଙ୍କୁ ଭେଟିବା ସହ ଆରଡ଼ି ଯାଇ ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ପରେ ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଭଦ୍ରକ କୁଆଁଶସ୍ଥିତ ବାସଭବନକୁ ଯାଇ ସେଠାରେ ପରିବାର ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।



