
ନବୀନ ସାହୁ(ଜଳେଶ୍ଵର): ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ବେଆଇନ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ,ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ସୂଚନା ଅନୁଯାଇ,ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଆଜି ଭୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ ଗୋଟିଏ ପିକଅପ ଜବତ କରିଛି। ଏସବୁ ଗାଡ଼ିରୁ ୨୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିବା ବେଳେ ୯ ଜଣଙ୍କୁ ପୁଲିସ ଅଟକ ରଖିଛି।
ତେବେ ପୁଲିସକୁ ଦେଖି ରାଜଘାଟ ପୋଲ ତଳକୁ ଚଳନ୍ତା ପିକଅପରୁ ଜଣେ ଗୋ ବ୍ୟବସାୟୀ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଜଣା ଯାଇ ନଥିଲେ ମଧ୍ୟ ସେ ଭଦ୍ରକ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଗୋରୁଗୁଡ଼ିକୁ ଭଦ୍ରକରୁ କୋଲକାତା କଂସେଇ ଖାନା ନିଆଯାଉଥିଲା ବୋଲି କୁହାଯାଇଛି। ଉଦ୍ଧାର ଗୋରୁଗୁଡ଼ିକୁ ବାଲେଶ୍ଵର ଗୋଶାଳାକୁ ପୁଲିସ ପଠାଇଦେଇଛି।