
ଭୁବନେଶ୍ବର: ବଢ଼ିଲା ବାତ୍ୟା ଆଶଙ୍କା,ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ।
ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି।
ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି।
ପାଣିପାଗ ବିଜ୍ଞାନୀଙ୍କ ମତରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍ ଆକଳନ ହୋଇନଥିଲେ ମଧ୍ୟ, ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।



