
ବାସ୍ତବ ବ୍ୟୁରୋ: ଏଥର ଧୁମଧାମରେ ପାଳନ ହେବ ଦୀପାବଳି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ ଅନୁମତି ରହିଛି। ଏହା ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇ ପାରିବେ। ପୁଣି ୧୨୫ ଡେସିବଲରୁ କମ ଶବ୍ଦ କରୁଥିବା ବାଣକୁ ଅନୁମତି ମିଳିଛି। ଗାଇଡଲାଇନ ଉଲ୍ଲଂଘନ କରି ରାତି ୮ଟା ପୂର୍ବରୁ କିମ୍ବା ୧୦ଟା ପରେ ବାଣ ଫୁଟାଇଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ।
ସେହିପର ବାଣ ବିକ୍ରି ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ । ଚିହ୍ନଟ ସ୍ଥାନ ଛଡା ଅନ୍ୟ କେଉଁଠି ବାଣ ବିକ୍ରି ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।



