
ବାସ୍ତବ ବ୍ୟୁରୋ : ଆରମ୍ଭ ହେଲା ରୋଜଗାର ମେଳା । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ରୋଜଗାର ମେଳା ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ୭୫,୨୨୬ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଯୁବକମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ସବୁଠାରୁ ବଡଶକ୍ତି ହେଉଛି ଯୁବବର୍ଗଙ୍କ କୌଶଳ ବିକାଶ ।
ଏହା ଦେଶର ଯୁବକ-ଯୁବତୀଙ୍କୁ ଦୀପାବଳି ରେ ବଡ଼ ଉପହାର । ଏହି ଅବସରରେ ମୋଦୀ କହିଛନ୍ତି ଯେ, ସରକାରୀ ଚାକିରି କେବଳ ସେବା ନୁହେଁ, ବରଂ ସଂପୂର୍ଣ୍ଣ ତତ୍ପରତା ଏବଂ ପ୍ରତିବଦ୍ଧତା ସହ ଦେଶ ସେବା କରିବା ଏବଂ ଦେଶ ପାଇଁ କାମ କରିବାର ଅବସର।
ପ୍ରଧାନମନ୍ତ୍ରୀରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରସରକାରଙ୍କ ୩୮ଟି ମନ୍ତ୍ରଣାଳୟର ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିଛି। ନବ ନିଯୁକ୍ତମାନେ ସରକାରଙ୍କ ଗ୍ରୁପ୍-ଏ , ଗ୍ରୁପ୍-ବି (ଗେଜେଟେଡ୍), ଗ୍ରୁପ୍-ବି (ଅଣଗେଜେଟେଡ୍) ଏବଂ ଗ୍ରୁପ୍-ସି ଭଳି ବିଭିନ୍ନ ସ୍ତରରେ ଚାକିରି କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବାମାନଙ୍କୁ ଯଥା ସମ୍ଭବ ଅଧିକ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକାଧିକ କ୍ଷେତ୍ରରେ କାର୍ଯ୍ୟ ଚଳାଇଛନ୍ତି। ପ୍ରକୃତ କଥା ହେଉଛି ବିଶ୍ୱର ପରିସ୍ଥିତି ଏବେ ଭଲନାହିଁ। ଅନେକ ବୃହତ୍ ଅର୍ଥନୀତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେତେକ ଦେଶରେ ଉତ୍କଟ ମୁଦ୍ରସ୍ଫୀତି ଓ ବେକାରୀ ସମସ୍ୟା ସର୍ବୋଚ୍ଚସ୍ତର ଛୁଇଁଲାଣି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ୮ ବର୍ଷ ଧରି ଦେଶରେ ରୋଜଗାର ଓ ସ୍ୱରୋଜଗାରକୁ ନେଇ ଯେଉଁ ଅଭିଯାନ ଜାରି ରହିଛି ଆଜି ତା ସହିତ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ବିକଶିତ ଭାରତର ସଂକଳ୍ପ ଓ ସିଦ୍ଧି ପାଇଁ ଆମେ ଆତ୍ମନିର୍ଭର ଭାରତ ରାସ୍ତାରେ ଚାଲୁଛେ ।