
ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ନଭେମ୍ବର ୧ରୁ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକ ମାନଙ୍କ ପାଇଁ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ।
ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ । ପିଠାବଟା ଫାଟକ ଦେଇ ପ୍ରତିଦିନ ୨୫ଟି ଓ କାଳିଆଣି ଦେଇ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି।

ଅଭୟାରଣ୍ୟରେ ଥିବା ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନଙ୍କୁ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ। ସେହିପରି ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗାଇଡ୍ ନେବାକୁ ବ୍ୟବସ୍ଥା ହୋଇଛି।



