
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ସେ କହିଛନ୍ତି ଯେ , ଏହା କେବଳ ଏକ ପ୍ରସ୍ତାବ, କିନ୍ତୁ ବାଧ୍ୟତାମୂଳକ ନୁହଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଛନ୍ତି ।
ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଆଇନ-ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କର ଦାୟିତ୍ୱ ହେଲେ ବି ତାହା ଦେଶର ଏକତା ଓ ଅଖଣ୍ଡତା ସହ ସମ୍ପୃକ୍ତ ରହିଛି। ଉପାୟ କରି ସମସ୍ୟା ସମାଧାନ କରିବା ନିମନ୍ତେ ହରିୟାଣାର ସୂରଜକୁଣ୍ଡରେ ଚାଲିଥିବା ଏହି ଅଧିବେଶନ ହେଉଛି ସମବାୟ ସଂଘବାଦର ଚମତ୍କାର ଦୃଷ୍ଟାନ୍ତ। ସେ କହିଛନ୍ତି, ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ, ପରସ୍ପରଠାରୁ ପ୍ରେରଣା ପାଇ ପାରିବେ ଏବଂ ଦେଶର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବେ। ଏହା ହେଉଛି ଆମ ସମ୍ବିଧାନର ଭାବଧାରା ଓ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ।
ହୁଏତ ପରିବର୍ତ୍ତନ ପାଇଁ କିଛି ସମୟ ଲାଗିପାରେ କିନ୍ତୁ ଏହି ପ୍ରସ୍ତବାକୁ ଆପଣାଇଲେ ମୋ ମତରେ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ମୋଦି କହିଛନ୍ତି ଯେ, ସାରା ଦେଶରେ ପୋଲିସର ପରିଚୟ ସମାନ ହେବା ଆବଶ୍ୟକ। ସେହିପରି ଦେଶରେ ୟୁନିଫର୍ମ ଲ’ ସପକ୍ଷରେ ଅମିତ ଶାହ ଆଣିଥିବା ପ୍ରସ୍ତାବକୁ ମୋଦି ମଧ୍ୟ ସମର୍ଥନ କରିଛନ୍ତି।