
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା। ଶେଷ ଦିନରେ ବିଜେଡି ଓ ବିଜେପି ନିଜ ନିଜର ମାଷ୍ଟର କାର୍ଡ ଖେଳିଥିଲେ ।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ, ବାଟ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ସମୟରେ ୧୮ ମାସରେ ୫ ବର୍ଷର କାମ ହୋଇପାରିବ ଓ ଧାମନଗର ଦାୟିତ୍ବ ନିଜେ ନେବେ ବୋଲି କହିଥିଲେ |

ଏହାକୁ ସିଧା କାଉଣ୍ଟର କରି ଧର୍ମେନ୍ଦ୍ର,ସେ କହିଥିଲେ ଯେ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ । ଲୋକେ ଆସ୍ଥା ପ୍ରକଟ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ବ ବୁଝୁଛନ୍ତି ନା ଗୁମାସ୍ତା ବୁଝୁଛନ୍ତି ସେକଥା ସମସ୍ତେ ଜାଣନ୍ତି। ହାତଗୁଞ୍ଜା ନଦେଲେ ଏଠାରେ କାମ ହେଉନି। କିନ୍ତୁ କିଛି ଛୋଟ କର୍ମଚାରୀ ଧରାପଡୁଛନ୍ତି। ଆଗକୁ ନାଗଫାଶରେ ସମସ୍ତେ ଫସିବେ। କେହି ନିସ୍ତାର ପାଇବେନି। ଏଥିସହ ମେଡିକାଲ କଲେଜ ପ୍ରସଙ୍ଗ ନେଇ ବର୍ଷିଲେ। କହିଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ନାହିଁ। ନେତା ନାଗଫାଶ ଜାଲରେ ପଡିଗଲେଣି।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ କି,ଏଠି ବହୁତ ତଳିଆ କର୍ମଚାରୀ ଟଙ୍କା ନେଣଦେଣ କରୁଛନ୍ତି ଆଉ କିଛି ବଡ଼ବଡିଆ ନାଗଫାଶରେ ଫସିଛନ୍ତି । ଏସବୁର ତଦନ୍ତ ହେବ କେହି ବି ବର୍ତ୍ତିବେ ନାହିଁ। ମୁ ଶୁଣିଛି କୁଆଡେ ଗୋଟେ ବଡ଼ ଏଜେନ୍ସି ଏହାର ତଦନ୍ତ କରିବା ଏବେ ଆରମ୍ଭ କରିଛି। ତେଣୁ ପାଖ ଜିଲ୍ଳାର ଆସିଥିବା ପଥର ମାଫିଆମାନେ ବି ନିସ୍ତାର ପାଇବେନି। ବାସ୍ତବରେ ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ପୁଣି ଥରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି। ଧୂଷୁରୀର ବାସନ୍ତୀ ପଡିଆଠାରେ ଆଜି ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ଶ୍ରୀ ପ୍ରଧାନ ଯୋଗଦେଇ ସୂର୍ଯ୍ୟବଂଶୀ ସୁରଜଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।