
ବାସ୍ତବ ବ୍ୟୁରୋ :
ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ତିନି ପ୍ରମୁଖ ରାଜନୈତିକ ଦଳରୁ କାହାକୁ କରିବ ପ୍ରାର୍ଥୀ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।
ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡ଼ିସେମ୍ବର ପାଞ୍ଚ ତାରିଖ ଭୋଟିଂ ହେବାକୁ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛି । ଏଥିପାଇଁ ନଭେମ୍ବର ୧୦ ତାରିଖ ବିଜ୍ଞପ୍ତି ପ୍ରକାଶ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏହାସହ ଡିସେମ୍ବର ୮ ତାରିଖ ଭୋଟ ଗଣତି ହେବା ସହ ଫଳାଫଳ ଘୋଷଣା ହେବ ।
ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ କେଉଁ ପ୍ରାର୍ଥୀଙ୍କୁ ଚୟନ କରିବା ତା ଉପରେ ସମସ୍ତଙ୍କ ନଜର । ତେବେ ବିଜେଡିର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଦେହାନ୍ତ ପରେ ପଦ୍ମପୁରର ସିଟ୍ ଖାଲି ପଡିଥିଲା । ରଞ୍ଜନ ସିଂ ବରିହା ଦୀର୍ଘ ପାଞ୍ଚଟି ନିର୍ବାଚନରେ ବିଜୟୀ ରହିଥିବା ବେଳେ ତାଙ୍କର ମୃତ୍ୟୁ ପରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି ବିଜେଡି । ତେବେ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ତ୍ରୀ ତିଳୋତମା ସିଂ ବରିହାଙ୍କ ପ୍ରାର୍ଥୀ ହେବା ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ପଦ୍ମପୁରର ଟାଲ ଗାଁର ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇଙ୍କର ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କ ସହ ଆଉ ପାଞ୍ଚ ଜଣ ଆଶାୟୀ ଥିବା ଚର୍ଚ୍ଚା ଚାଲିଛି।