ବାସ୍ତବ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି(ଗୁରୁବାର) ପୂର୍ବାହ୍ନ ୧୦ଟା୫୦ରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବିଭିନ୍ନ ଦଳର ନେତା ତଥା ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ ଥିଲା ।

ଭୁବନେଶ୍ୱରରୁ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ସିଧାସଳଖ ପୁରୀ ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି ମୁର୍ମୁ। ରାଷ୍ଟ୍ରପତି ୧୧ଟା୪୦ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚି ଥିଲେ। ସେଠାରୁ ଚପରରୁ ଓହ୍ଲାଇବା ପରେ ସଡ଼କପଥରେ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିରକୁ ଯାଇଥିଲେ । ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ସିଂହଦ୍ୱାର ନିକଟରେ ଗଜପତି ମହାରାଜ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଗଜପତି ମହାରାଜା ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାଗତ ଜଣାଇଥିଲେ।
ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ କୌଳିକ ପଣ୍ଡାଙ୍କ ଯାତ୍ରୀଖାତାରେ ଦର୍ଶନ ଅନୁଭୂତି ସାଉଁଟି ଓଡ଼ିଆ ହସ୍ତାକ୍ଷର କରିଥିଲେ । ଯାତ୍ରୀଖାତାରେ ରାଷ୍ଟ୍ରପତି ଲେଖିଛନ୍ତି, ‘ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଦା ମୂରତି ଏବଂ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି। ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଠାକୁର। ମାନବଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ। ଏହା ମୋର କାମନା।’
ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ସେଠାରୁ ସିଧା ରାଜଭବନ ବାହାରିଥିଲେ । ଅପରାହ୍ଣ ୧୨ଟାରେ ଭୁବନେଶ୍ୱର ଫେରି ରାଜଭବନରେ ପହଞ୍ଚି ସେଠାରେ ସେ ମହାପ୍ରସାଦ ସେବନ କରିଥିଲେ ।
ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କାଲି ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ବାହୁଡ଼ି ଯିବେ।