
ନମିତା କୁଅଁର(ଭୁବନେଶ୍ୱର):ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଦ୍ଵିଦିବସୀୟ ରାଜସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଲବ୍ଧପ୍ରତିଷ୍ଠ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ତଥା ଏକାଡେମୀର ସଚିବ ଡଃ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗବେଷକ ଡଃ ମନ୍ମଥ ନାଥ ଶତପଥୀ ,ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ମନୋଜ ପଟ୍ଟନାୟକ, ବିଶିଷ୍ଟ କଳାକାର ପ୍ରସନ୍ନ ମିଶ୍ର ,ନୀଳାଚଳ ନିଖିଳ ଉତ୍କଳ ପାଲା ସଂଘର ରାଜ୍ୟ ସଭାପତି ଗାୟକ ମଦନମୋହନ ଜେନା ସମ୍ମାନିତ ଅତିଥି ଭାବେ, ଯୋଗଦେଇ ପାଲା ସଂସ୍କୃତି ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏକାଡେମୀର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ବିଶେଷତଃ ଏକାଡେମୀର ସଚିବ ଡଃ ରଥ ଓଡିଶା ମାଟିର ଲୋକପ୍ରିୟ ତଥା ବିଲୁପ୍ତ ପ୍ରାୟ ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ଊଜ୍ଜୀବିତ କରିବାକୁ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମାଧ୍ୟମରେ କଳାତ୍ମକ ବୈଭବ ପ୍ରଦର୍ଶନ କରିବାର ଲକ୍ଷ୍ଯପଥରେ ସାମିଲ ହେବା ସହ, ଓଡ଼ିଶାର କୋଣ ଅନୁକୋଣରେ କର୍ମଶାଳା ମାଧ୍ୟମରେ ଆଞ୍ଚଳିକ ଲୋକ କଳାକୁ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରଚେଷ୍ଟାକୁ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ ।
ଏହି ଉଦ୍ ଯାପନୀ ସଂଧ୍ୟାରେ ବିଶିଷ୍ଟ ଲୋକକଳା ଗବେଷକ ତଥା ଏକାଡେମୀର ଉପସଭାପତି ଡଃ ମନ୍ମଥ ନାଥ ଶତପଥି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଲୋକକଳା କିଭଳି ଗୌରବାନ୍ଵିତ ହୋଇଛି ସୂଚନା ଦେଇଥିଲେ। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ,ମଞ୍ଚ ଓ ସିନେ ଅଭିନେତା ତଥା ମନନ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ମନୋଜ ପଟ୍ଟନାୟକ ପାରମ୍ପରିକ ଲୋକକଳା ଓ ନାଟକ ତତ୍ତ୍ଵ ର ତୁଳନାତ୍ମକ ବିଶ୍ଳେଷଣ କରିଥିଲେ। ଇତ୍ୟବସରରେ ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା , ଗାୟକଶ୍ରୀ ଶରତ ଚନ୍ଦ୍ର ଶତପଥୀ , ଗାୟକ ନିରଞ୍ଜନ ବାହିନୀପତି ଓ ଦାସକାଠିଆ ଗାୟକ ବାଳକୃଷ୍ଣ ମିଶ୍ର ଆଦି ଉଚ୍ଚକୋଟୀର ପାଲା ଓ ଦାସକାଠିଆ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।
ଇତ୍ୟବସରରେ ରାଜଶ୍ରୀର ସଂପାଦକ ହେମନ୍ତ ଜେନା ଓ ବୈଷୟିକ ସମ୍ପାଦକ ଶ୍ରୀମନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସଂସଦର ଉପଦେଷ୍ଟା ଗାୟକ ସୂର୍ଯ୍ୟ ପଣ୍ଡିତ ପର୍ଶୁରାମ ପଣ୍ଡାକ ସମେତ ଅନ୍ୟ ଗାୟକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସୁନାମଧନ୍ୟ ମଞ୍ଚ ଉପସ୍ଥାପକ ବିଶ୍ଵ ବଳିଆର ସିଂହ ଆକର୍ଷଣୀୟ ଶୈଳ୍ପିକ କଳାରେ ମଞ୍ଚ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।