
ବାସ୍ତବ ବ୍ୟୁରୋ: ପତଳା ହେଉଛି ଗରୁଡ଼ ସ୍ତମ୍ଭ । ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ ମାନେ ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଛି ।
ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଏଣୁ ଗରୁଡ଼ ସ୍ତମ୍ଭର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ଏକ ବୃତ୍ତାକାର ଫ୍ରେମ ଉପରେ ରୁପା ଚାଦର ଆଚ୍ଛାଦନ ପାଇଁ ପ୍ରସ୍ତାବ ରଖାଯାଇଛି। ଏଥିପାଇଁ ୧୩୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ପଶ୍ଚିମବଂଗର ଜଣେ ବ୍ୟକ୍ତି ଏହି କାର୍ଯ୍ୟ ସମ୍ପାଦନ ପାଇଁ ରାଜି ହୋଇଛନ୍ତି।
ତେବେ ଏହି ପ୍ରସଙ୍ଗ ନେଇ ଛତିଶାନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।