
ପ୍ରମୋଦ ନାୟକ(ଭୁବନେଶ୍ୱର): ନଭେମ୍ବର ୨୪ ଅର୍ଥାତ ଗୁରୁବାର ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ । କାରଣ ଏଭଳି ଘଟଣା ପୂର୍ବରୁ କେବେ ବି ଓଡିଶାରେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଏହି ମାମଲାରେ ଆଇଏଏସ, ଆଇପିଏସ ସମେତ ଏକାଧିକ ବଡ ନେତା ସାମିଲ ଥିବା ଚର୍ଚ୍ଚା ହେଉଛି । ତେଣୁ ଉଭୟ ବିରୋଧୀ ଦଳ ବିଜେପ ଓ କଂଗ୍ରେସ ଆରମ୍ଭରୁ ଏହାକୁ ମୁଦ୍ଦା କରିବାକୁ ନେଇଛନ୍ତି ନିଷ୍ପତି। ଏଥି ସହ ଚାଷୀ ସମସ୍ୟା, ଫସଲ ବୀମା ନମିଳିବା, ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀ, ଦାଦନ ସମସ୍ୟା, ବେକାରୀ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ ।
ସେପଟେ ସମସ୍ତ ପ୍ରସଙ୍ଗ ସହ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ଶାସକ ଦଳ । ବିରୋଧୀ ଦଳ ପକ୍ଷରୁ ବିଧାନସଭାର ବିଧି ବିଧାନ ଅନୁସାରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ତାହା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଜେଡି ନେତା ।



