ବାସ୍ତବ ବ୍ୟୁରୋ: ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ଯେଉଁ ଘଟଣା କେନ୍ଦ୍ରାପଡାରେ ଘଟିଛି ତାହା ଅତି ବୀଭତ୍ସ। ତେବେ ଭସାଣି ସମୟରେ ଯେଉଁ ଅଘଟଣ ଘଟିଛି ତାହା ପାଇଁ ଦାୟୀ କେବଳ ପୁଲିସ ପ୍ରସାସନ। ଯଦି ପୁଲିସ ସେହି ସମୟରେ ସଠିକ ଢ଼ଙ୍ଗରେ କାର୍ଯ୍ୟ କରିଥାନ୍ତା ତେବେ ଏପରି ସ୍ଥିତି ଉପୁଜି ନଥାନ୍ତା। ଏହି ଘଟଣା ରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର। ଆସନ୍ତା ୭୨ ଘଂଟା ମଧ୍ୟରେ ଉକ୍ତ ପୁଲିସ ଅଧିକାରୀଙ୍କୁ ଶୀଘ୍ର ଦଣ୍ଡ ମିଳୁ ।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ବେଳେ ଘଟିଥିବା ଅଘଟଣ ରେ ବାଣ ଫୁଟି ୨ ୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧୢରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।