
ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ।
ମେହେର ସମାଜ ପକ୍ଷରୁ ସୂଚନାନୁଯାୟୀ, ଏହାଦ୍ବାରା ଦୂରଦୂରାନ୍ତରରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ।