ବାସ୍ତବ ବ୍ୟୁରୋ : ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ୮୨ ବର୍ଷ ବୟସରେ ପରଲୋକେ । କଟକ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର୦ ଦେହାନ୍ତ ହୋଇଛି । ସୂଚନାନୁଯାୟୀ, ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।

୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା ଦାସ ।
ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ଲୋକପ୍ରିୟତା ହାସଲ କରିଥିଲେ ।
ତାଙ୍କର ଅଭିନୟ ପାଇଁ ତାଙ୍କୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୭ ଜୟଦେବ ପୁରସ୍କାର, ୨୦୧୧ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼,୨୦୧୧ରେ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି ।