ବାସ୍ତବ ବ୍ୟୁରୋ: ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ପାଇଁ ଚାଲି ପାରିଛି। ଏହି ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ ଏବଂ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ। ପରେ ବାଚସ୍ପତି ଶ୍ରୀ ଆରୁଖ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି।
ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଥିଲେ।
ସୂଚନା ମୁତାବକ, ୧୬ତମ ବିଧାନସଭା ଅଧିବେଶନ ଗତ ନଭେମ୍ବର ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି। ଏହି ଆଠ ଦିନ ମଧ୍ୟରେ ମାତ୍ର ୩ଟି ବିଲ୍ ପାସ ହୋଇଥିବା ବେଳେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ। ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ଶ୍ରୀ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ।