ବାସ୍ତବ ବ୍ୟୁରୋ : ରାଜ୍ୟରେ ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆଜି ଅର୍ଥାତ ରବିବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ। ଓଡ଼ିଶାରେ ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି।
ତେବେ ଆସନ୍ତାକାଲି (ସୋମବାର)ଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ଥଣ୍ଡା ରହିବ ଓ ୮ ତାରିଖ ପରଠାରୁ ଥଣ୍ଡା କମିଯିବ ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘ଆସନ୍ତା ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରଥମେ ଶୀତ ବଢ଼ିବ ଓ ପରେ କମିଯିବ। କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ପର୍ଯ୍ୟନ୍ତ ରହିବ। ୮ ତାରିଖରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗରୁ ପବନ ବହିବ। ୯ରୁ ୧୧ ତାରିଖ ମଧ୍ୟରେ ବଙ୍ଗୋପସାଗୀୟ ପୂର୍ବା ପବନ ବହିବା ଯୋଗୁଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି।’
୮ ଓ ୯ ତାରିଖ ଦୁଇ ଦିନରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି, ଦକ୍ଷିଣ ଆଭ୍ୟନ୍ତରରେ ୯ରୁ ୧୧ ତାରିଖ ଭିତରେ ୬ ଡିଗ୍ରି ଓ ଉତ୍ତର ଆଭ୍ୟନ୍ତରରେ ୯ ତାରିଖରେ ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି।