
ବାସ୍ତବ ବ୍ୟୁରୋ: ସରିଲା ପଦ୍ମପୁର ଉପନିର୍ବାଚନ ଏବେ ଫଳାଫଳକୁ ଅପେକ୍ଷା । ୩୧୯ଟି ବୁଥରେ ମତଦାନ ହୋଇଥିବାବେଳେ ୪ଟି ବୁଥରେ ଇଭିଏମ ଅଚଳ ହେବାରୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରାଯାଇଥିଲା। ସେପଟେ ଭୋଟ ଦେବାକୁ ପଦ୍ମପୁର ବାସୀଙ୍କୁ ମୁଖ୍ଯମନ୍ତ୍ରୀ ଅପିଲ କରିଥିବାବେଳେ ନୂଆ ଭୋଟର ମଧ୍ୟ ଭୋଟ ଦେଇଥିଲେ ।
ତେବେ ଭିନ୍ନକ୍ଷମ ତଥା ବୟସ୍କ ଭୋଟରଙ୍କ ପାଇଁ ୬୨୮ ଜଣ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ବରେ ଥିବାବେଳେ ୩ଟି ବ୍ଲକରେ ପର୍ଯ୍ଯାୟକ୍ରମେ ୨୯, ୩୦ ଓ ୨୧ଟି ଗାଡ଼ିର ବ୍ଯବସ୍ଥା ହୋଇଥିଲା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସକାଶେ ୬ଟି ପିଙ୍କ୍ ବୁଥ ଓ ୧୫ଟି ମଡେଲ ବୁଥ କରାଯାଇଥିଲା। ତେବେ ୩୧୯ଟି ବୁଥ ମଧ୍ଯରୁ ୧୨୦ଟି ବୁଥରେ ୱେବ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ଲଗାଇ ନିରିକ୍ଷଣ କରାଯାଇଛି। ସେହିଭଳି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ୫୨ଟି ସମ୍ବେଦନଶୀଳ ଓ ୭୪ଟି ଅତି ସମ୍ବେଦନଶୀଳ ବୁଥ ରହିଥିଲା। ଯାହାପାଇଁ ଅର୍ଦ୍ଧ ସାମରୀକ ବାହିନି ଓ କେନ୍ଦ୍ରିୟ ଫୋର୍ସ ମୁତୟନ କରାଯାଇଥିଲା ।
ସୂଚନାନୁଯାୟୀ, ଆଜି(ସୋମବାର) ଉପନିର୍ବାଚନ ପାଇଁ ପଦ୍ମପୁରରେ ସକାଳ ୭ଟାରୁ ଭୋଟ ଦାନ ଆରମ୍ଭ ହୋଇ ଅପରାହ୍ଣ ୫:୩୦ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ, ୧୧ଟା ସୁଦ୍ଧା ୨୯.୭୫, ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିଲା। ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରାଜାପଡ଼ା ସ୍କୁଲରେଥିବା ୨୧୩ ନମ୍ବର ବୁଥରେ ଯାଇ ମତଦାନ କରି ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ।
ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଥରେ ମତଦାନ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବୁଥରେ ମତଦାନ କରିବା ସହ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରି ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ କହିଛନ୍ତି।