ବାସ୍ତବ ବ୍ୟୁରୋ: ଚାଇନିଜ୍ ହ୍ୟାକରମାନେ ଦିଲ୍ଲୀ ଏମ୍ସ ୱେବସାଇଟ ଉପରେ ସାଇବର ଆକ୍ରମଣ କରି ଗତ ଦୁଇ ସପ୍ତାହ ହେବ ଅଚଳ କରିଦେଇଥିବା ବେଳେ ଏବେ ଭାରତ ର ଆଉ ଏକ ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ଆଇସିଏମଆର ୱେବସାଇଟ ଉପରେ ମଧ୍ୟ ସାଇବର ଆକ୍ରମଣ କରିଛନ୍ତି ।
ସୂଚନାନୁଯାୟୀ, ଆଇସିଏମଆରର ସର୍ଭରରେ ଅନୁପ୍ରବେଶ କରିବାକୁ ଚୀନର ହ୍ୟାକରମାନେ ଉଦ୍ୟମ ଚଳାଇଛନ୍ତି । ଗତ ନଭେମ୍ବର ୩୦ ତାରିଖରେ ହଂକଂର କେତେକ ହ୍ୟାକର ଆଇସିଏମଆର ସର୍ଭରକୁ ହ୍ୟାକ୍ କରିବାକୁ ପ୍ରାୟ ୬ ହଜାର ଥର ଉଦ୍ୟମ କରିଥିଲେ । ତେବେ ସାଇବର ଆଟାକର୍ସମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଇସିଏମଆର୍ର ୱେବସାଇଟ୍କୁ ହ୍ୟାକ କରିବାକୁ ସଫଳ ହୋଇନାହାନ୍ତି ବୋଲି ନ୍ୟାସନାଲ ଇନଫରମାଟିକ୍ସ ସେଣ୍ଟର ପକ୍ଷରୁ କୁହାଯାଇଛି ।ୱେବସାଇଟର ସୁରକ୍ଷା ପାଇଁ ବୃବହୃତ ହୋଇଥିବା ଫାୟାରଓ୍ବାଲ ଏହାକୁ ରୋକିବାକୁ ସକ୍ଷମ ହୋଇଥିଲା ।
ଆଇସିଏମଆର ପାଖର ଭାରତର ଗୁରୁତ୍ବପୂର୍ଣ୍ଣ ଡାକ୍ତରୀ ଗବେଷଣା, ଟିକା ଓ ଔଷଧ ଗବେଷଣା, ରୋଗୀଙ୍କ ସଂପର୍କିତ ତଥ୍ୟ ଥାଏ । ଯଦି ହ୍ୟାକରମାନେ ନିଜ ଉଦ୍ୟମରେ ସଫଳ ହୋଇଥାନ୍ତେ ତାହା ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଥାନ୍ତା ।